ସମ୍ରାଟଙ୍କ ସମାଧି ଖୋଳିବାକୁ ଭୟ

ବେଜିଂ,୨୦ା୧୧: ଖ୍ରୀଷ୍ଟପୂର୍ବ ୨୨୧ରୁ ୨୧୦ ପର୍ଯ୍ୟନ୍ତ କିନ୍‌ ଶୁ ହୁଆଙ୍ଗ୍‌ ଚାଇନାକୁ ଶାସନ କରିଥିଲେ। ତାଙ୍କ ସମାଧିକୁ ସୈନ୍ୟ ଓ ଘୋଡ଼ା ସୁରକ୍ଷା ଦେଉଥିବା ଦୃଶ୍ୟର ଏକ ଟେରାକୋଟାକୁ ୧୯୭୪ରେ ଶାନ୍‌ଜି ପ୍ରଦେଶର ଚାଷୀମାନେ ପାଇଥିଲେ। ଦେଶର ଏହି ପ୍ରଥମ ସମ୍ରାଟଙ୍କ ସମାଧିକୁ ଖୋଳିବା ପାଇଁ ବର୍ତ୍ତମାନ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭୟ କରୁଛନ୍ତି। ସମ୍ରାଟ ହୁଆଙ୍ଗ୍‌ଙ୍କ ୨,୨୦୦ ବର୍ଷ ତଳର ସମାଧିକୁ ଠାବ କରାଯାଇଥିଲେ ମଧ୍ୟ ତାକୁ ଆଜି ପର୍ଯ୍ୟନ୍ତ ଖୋଲାଯାଇ ନାହିଁ। ସମାଧିକୁ ଖୋଳିଲେ ଏହାର କ୍ଷତି ହେବ ବୋଲି ଆଇଏଫ୍‌ଏଲ୍‌ ସାଇନ୍ସ କହୁଛି। କିନ୍ତୁ ନ ଖୋଲିବାର ଏହା ଏକମାତ୍ର କାରଣ ନୁହେଁ। ଯିଏତ ତାକୁ ଖୋଲିବା ସିଏ ସେଥିରେ ଥିବା ଫାଶରେ ଛନ୍ଦି ହୋଇଯିବ ବୋଲି ଅଧିକାଂଶ ଲୋକଙ୍କ ଧାରଣା ରହିଛି। ସେହି ସମାଧିରେ ଥିବା ବହୁ ମୂଲ୍ୟବାନ କୋଷକୁ ସୁରକ୍ଷା ଦେବା ପାଇଁ ଏହି ଫାଶ ରହିଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ ମନେକରୁଛନ୍ତି। ଏହି ଭୟରେ ତାକୁ ଖୋଲାଯାଉନାହିଁ। ହଲିଉଡ୍‌ କାହାଣୀ ଭଳି ମନେହେଉଥିବା ଏହି କିମ୍ବଦନ୍ତୀ ସତ ବି ହୋଇଥାଇପାରେ।
ଶି ହୁଆଙ୍ଗ୍‌ ହେଉଛନ୍ତି ପ୍ରସିଦ୍ଧ ‘ଗ୍ରେଟ୍‌ ଓ୍ବାଲ୍‌ ଅଫ୍‌ ଚାଇନା’ର ନିର୍ମାତା। ଦେଶରେ ସେ ଏକ ବିସ୍ତୃତ ଜାତୀୟ ସଡ଼କ ଯୋଜନା କାର୍ଯ୍ୟକାରୀ କରାଇଥିଲେ। ସେ ଏକ ବିଶାଳ ପ୍ରସ୍ତର ସେନା ଗଢ଼ିଥିଲେ। ତାକୁ ଟେରାକୋଟା ଆର୍ମି କୁହାଯାଏ। ସେଥିରେ ୮,୦୦୦ ସୈନ୍ୟଙ୍କ ମୂର୍ତ୍ତି, ଅସଂଖ୍ୟ ଘୋଡ଼ା ଓ ରଥ ରହିଛି।

Share