Categories: ଜାତୀୟ

ଏନ୍‌କାଉଣ୍ଟର ଭୟ: ଦିଲ୍ଲୀରେ ସରେଣ୍ଡର କରୁଛନ୍ତି ବିହାର-ୟୁପି ଅପରାଧୀ

ନୂଆଦିଲ୍ଲୀ,୮।୭: ବିହାର ଏବଂ ଉତ୍ତରପ୍ରଦେଶର ବାହୁବଳୀ ଅପରାଧୀ ଏବେ ଦିଲ୍ଲୀରେ ସରେଣ୍ଡର କରିବାକୁ ପସନ୍ଦ କରୁଛନ୍ତି। ବାହୁବଳୀ ଅପରାଧୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ମାମଲା ଅଧିକ ସଂଖ୍ୟାରେ ଘଟୁଥିବା କୁହାଯାଉଛି। ଅପରାଧୀଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଫଳରେ ଥାନା ଅବା କୋର୍ଟ ପର୍ଯ୍ୟନ୍ତ ମାମଲା ନ ଆଣି ଏନ୍‌କାଉଣ୍ଟରରେ ଶେଷ କରିବା ଲାଗି ବହୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଥିବା କୁହାଯାଉଛି। ଏହାର ସୂଚନା ବିହାରର ଅପରାଧୀଙ୍କ ପାଖରେ ରହିଛି। ସେହିପରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଆପରାଧୀକ କାର୍ଯ୍ୟକଳାପ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି। ତେଣୁ ଅପରାଧୀ ନିଜ ଜୀବନକୁ ଆଉ ସୁରକ୍ଷିତ ମଣୁ ନାହାଁନ୍ତିି। ତେଣୁ ସେମାନେ ଦିଲ୍ଲୀରେ ସରେଣ୍ଡର କରିବାକୁ ପସନ୍ଦ କରୁଛନ୍ତି। ଦିଲ୍ଲୀରେ ଅପରାଧୀଙ୍କୁ ଆଇନଗତ ସୁବିଧା ସହଜରେ ମିଳିପାରୁଛି। ଏଠାରେ ମିଡ଼ିଆ ସକ୍ରିୟ ଥିବାରୁ ଏନ୍‌କାଉଣ୍ଟର ଘଟଣା ସହଜ ଭାବେ ଘଟି ନ ଥାଏ ବୋଲି ଅପରାଧୀ ଚିନ୍ତା କରୁଛନ୍ତି। ବିହାର, ଉତ୍ତରପ୍ରଦେଶ ତୁଳନାରେ ଦିଲ୍ଲୀରେ ଏନ୍‌କାଉଣ୍ଟର ସଂଖ୍ୟା ଯଥେଷ୍ଟ କମ୍‌ ରହୁଥିବାରୁ ଅନ୍ୟ ରାଜ୍ୟର ଅପରାଧୀ ମଧ୍ୟ ଦିଲ୍ଲୀରେ ସରେଣ୍ଡର କରିବାକୁ ପସନ୍ଦ କରୁଥିବା କୁହାଯାଉଛି।

Share