Categories: ଜାତୀୟ

ଡନ୍‌ଙ୍କୁ ଏନ୍‌କାଉଣ୍ଟର ଭୟ: ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ମୁକ୍ତାର ଅନସାରି

ଲକ୍ଷ୍ନୌ, ୨୦।୧୦: ଉତ୍ତରପ୍ରଦେଶର ଡନ୍‌ ତଥା ବହୁଜନ ସମାଜବାଦୀ ପାର୍ଟି ବିଧାୟକ ମୁକ୍ତାର ଅନସାରି ଏବେ ନିଜ ରାଜ୍ୟକୁ ଫେରିବାକୁ ଅମଙ୍ଗ ହେଉଛନ୍ତି। ରାଜ୍ୟରେ ଏନ୍‌କାଉଣ୍ଟର କରାଯିବା ଭୟରେ ସେ ଏଭଳି କରୁଥିବ ଚର୍ଚ୍ଚା ହେଉଛି। ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବା ଲାଗି ଉତ୍ତରପ୍ରଦେଶ ପୋଲିସ ବିଭାଗ ଗାଡ଼ି ଜାଣିଶୁଣି ରାସ୍ତାରେ ଓଲଟି ପଡୁଥିବା ଭୟରେ ଅନସାରି ଏବେ ଥରୁଥିବା କୁହାଯାଉଛି। ଏବେ ସେ ପଞ୍ଜାବର ରୋପଡ଼ ଜିଲା ଜେଲରେ ରହିଛନ୍ତି। ତାଙ୍କୁ ଉତ୍ତରପ୍ରଦେଶ ଫେରାଇ ଆଣିବା ଲାଗି ୫୦ ଜଣିଆ ପୋଲିସ ଟିମ୍‌ ପଞ୍ଜାବ ଯାଇଥିଲେ। ପଞ୍ଜାବ ମେଡ଼ିକାଲ ବୋର୍ଡ ପକ୍ଷରୁ ଅନସାରି ଅସୁସ୍ଥ ଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ତାଙ୍କୁ ମଧୁମେହ ହେବା ସହିତ ସେ ମାନସିକ ବିସାଦଗ୍ରସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ପାଖକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ମିିଳିବା ପର୍ଯ୍ୟନ୍ତ ରାଜ୍ୟ ପୋଲିସ ଏନେଇ ଚୁପ୍‌ ରହିବା ବ୍ୟତିତ ଅନ୍ୟ ବାଟ ନାହିଁ ବୋଲି କୁହାଯାଉଛି।

Share