ମହାମାରୀ ଭୟ, ୧୫୦ ଦେଶକୁ ଜାତିସଂଘ ନ ଆସିବାକୁ ପରାମର୍ଶ ଦେଲା ଆମେରିକା…

ଜେନେଭା,୧୯।୮: କରୋନା ଭାଇରସର ଦ୍ରୁତ ବେଗରେ ସଂକ୍ରମଣ କରୁଥିବାରୁ ଜାତିସଂଘର ବାର୍ଷିକ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ଯୋଗ ନ ଦେବାକୁ ଆମେରିକା ପୃଥିବୀର ବିଭିନ୍ନ ଦେଶକୁ ପରାମର୍ଶ ଦେଇଛି। ଆସନ୍ତା ମାସରେ ମିଳିତ ଜାତିସଂଘ ସାଧାରଣ ସଭାରେ ବ୍ୟକ୍ତିଗତ ଭାବରେ ଯୋଗଦେବା ପାଇଁ ସେମାନଙ୍କ ନେତା କିମ୍ବା ମନ୍ତ୍ରୀଙ୍କୁ ନ୍ୟୁୟର୍କକୁ ପଠାଇବା ଯୋଜନା କରୁଥିବା ୧୫୦ ରୁ ଅଧିକ ଦେଶକୁ ଆମେରିକା ଅନୁରୋଧ କରିଛି । ଭିଡିଓ କନଫରେନ୍ସିଂରେ କାର୍ଯ୍ୟକ୍ରମରେ ଯୋଗଦେବ ବିକଳ୍ପ ଉପରେ ଆମେରିକା ଗୁରୁତ୍ୱାରୋପ କରିଛି। ଜାତିସଂଘର ୧୯୨ ସଦସ୍ୟ ରାଷ୍ଟ୍ରକୁ ଆମେରିକା ମିଶନ ଦ୍ୱାରା ପଠାଯାଇଥିବା ଏକ ନୋଟରେ ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ଅନ୍ୟ ସମସ୍ତ ବୈଠକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନଲାଇନରେ ଯୋଗଦେବାକୁ କୁହାଯାଇଛି।

ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ, ଟୀକାକରଣ, ଖାଦ୍ୟ ବ୍ୟବସ୍ଥା, ଶକ୍ତି ଏବଂ ମିଳିତ ଜାତିସଂଘର ୨୦ତମ ବାର୍ଷିକୀ ଅବସରରେ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏବଂ ସାଧାରଣ ସଭାର ପରବର୍ତ୍ତୀ ରାଷ୍ଟ୍ରପତି ଅବଦୁଲ୍ଲା ସହିଦଙ୍କ ବୈଠକକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ବିଶେଷ ଚିନ୍ତିତ ବୋଲି ନୋଟ୍‌ରେ ଉଲ୍ଲେଖ କରାଯାଇଛି। ଡିଜିଟାଲ ଫର୍ମାଟରେ ବୈଠକକୁ ସଫଳ କରିବା ପାଇଁ ଆମେରିକା ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ନୋଟ୍‌ରେ କୁହାଯାଇଛି।
ମିଳିତ ଜାତିସଂଘ ସାଧାରଣ ସଭା ବୈଠକରେ ଯୋଗଦେବାକୁଥିବା ବକ୍ତାମାନଙ୍କର ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ତୁର୍କୀର ରାଷ୍ଟ୍ରପତି ରାଜାବ ତାଇପ ଏରଡାନ ଏବଂ ଭେନେଜୁଏଲର ନିକୋଲାସ ମଦୁରୋ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ମଧ୍ୟ ଅଛନ୍ତି। ସେହିପରି ତାଲିକାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲୀ ବେନେଟ, ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋବ ଏବଂ ଚାଇନା ଉପମୁଖ୍ୟମନ୍ତ୍ରୀ ହାନ ଝେଙ୍ଗଙ୍କୁ ମଧ୍ୟ ସାମିଲ କରାଯାଇଛି।

Share