ପାର୍ବଣକୁ ଭୟ, କେରଳରେ ସଙ୍କଟ ଜାରି…

ନୂଆଦିଲ୍ଲୀ,୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୨ ଦିନ ଧରି ୨୦ ହଜାର ତଳେ ରହିଛି। କେରଳ ସ୍ଥିତି ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୩୭୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୮୭୦ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨୮ ହଜାର ୧୭୮ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୭୮ ପ୍ରତିଶତ ରହିଛି।

ଅପରପକ୍ଷରେ ୨ ଲକ୍ଷ ୮୨ ହଜାର ୫୨୦ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୭ ହଜାର ୭୫୧ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୮୭ କୋଟି ୬୬ ଲକ୍ଷ ୬୩ ହଜାର ୪୯୦ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୫୪ ଲକ୍ଷ ୧୩ ହଜାର ୩୩୨ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୬ କୋଟି ୭୪ ଲକ୍ଷ ୫୦ ହଜାର ୧୮୫ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୪ ହଜାର ୭୧୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୯ ଲକ୍ଷ ୮୬ ହଜାର ୧୮୦ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୬ ଲକ୍ଷ ୯୭ ହଜାର ୫୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ୧୯୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୪୯ ଛୁଇଁଛି।

Share