ସଂକ୍ରମଣ ଭୟ: ଟ୍ରେନ୍‌ରେ ଯାତ୍ରୀଙ୍କ ସଂଖ୍ୟା କମିଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): କରୋନା ସଂକ୍ରମଣ ଭୟ ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା ବିଶେଷଭାବେ ପ୍ରଭାବିତ ହୋଇଛି। ଦେଶରେ ସର୍ବାଧିକ ଯାତ୍ରୀ ପରିବହନ ମାଧ୍ୟମ ରେଳଯାତ୍ରା ସର୍ବାଧିକ ପ୍ରଭାବିତ ହୋଇଛି। ସଂକ୍ରମଣ ଭୟ ଯୋଗୁ ଲୋକେ ଜରୁରୀ ନ ଥିଲେ ଟ୍ରେନ୍‌ରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। କରୋନା କଟକଣା କୋହଳ ପରେ ଲୋକଙ୍କୁ ଯାତାୟାତରେ ସୁବିଧା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୧୩ଠାରୁ ୬ ଯୋଡ଼ା ଆନ୍ତଃରାଜ୍ୟ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହାସହ ମେ’ ପହିଲାରୁ ରାଜଧାନୀ ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ସେହିଭଳି ଜୁନ୍‌ ପହିଲାରୁ ଓଡ଼ିଶା ଭିତରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ତେବେ ରାଜଧାନୀ ସ୍ପେଶାଲ ଟ୍ରେନ୍‌ରେ ମେ’ ୧୩ରୁ ଜୁନ୍‌ ୨୪ ମଧ୍ୟରେ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ମାତ୍ର ୪୫.୪୭ ପ୍ରତିଶତ ଯାତ୍ରୀ ଯାଇଛନ୍ତି। ସେହିଭଳି ପୁରୀ-ସିଆଲଦା ସ୍ପେଶାଲ୍‌ ଟ୍ରେନ୍‌ରେ ୧୩.୬୮% ଯାତ୍ରୀ ଆସିଥିବାବେଳେ ୧୫.୭୧% ଯାତ୍ରୀ ଯାଇଛନ୍ତି। ଭୁବନେଶ୍ୱର-ହାୱାଡା ସ୍ପେଶାଲ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ୫୧% ଯାତ୍ରୀ ଆସିଥିବାବେଳେ ମାତ୍ର ୩୪.୦୭% ଯାତ୍ରୀ ଯାଇଛନ୍ତି। ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍‌ରେ ୫୨.୬୯% ଯାତ୍ରୀ ଭୁବନେଶ୍ୱରରୁ ମୁମ୍ବାଇ ଯାଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଭିତରେ ଯାତାୟାତ କରୁଥିବା ଟ୍ରେନ୍‌ଗୁଡ଼ିକରେ ଅକ୍ୟୁପାନ୍ସି ଆହୁରି କମ୍‌ ରହୁଛି। ସମ୍ବଲପୁର-ଖୋର୍ଦ୍ଧାରୋଡ୍‌ ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍‌ରେ ମାତ୍ର ୧୭.୭୭% ଯାତ୍ରୀ ଆସୁଥିବା ବେଳେ ୯.୭୬% ଯାତ୍ରୀ ଯାଉଛନ୍ତି। ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ସ୍ପେଶାଲ୍‌ ଟ୍ରେନ୍‌ରେ ୨୦.୮୯% ଯାତ୍ରୀ ଯାଉଥିବାବେଳେ ୧୭.୬୪% ଯାତ୍ରୀ ଆସୁଛନ୍ତି। ସେହିଭଳି ଭଦ୍ରକ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌ରେ ମାତ୍ର ୪.୧% ଯାତ୍ରୀ ଯାଇଥିବା ବେଳେ ୮.୫୨% ଯାତ୍ରୀ ଆସିଛନ୍ତି। ଭୁବନେଶ୍ୱର-ବ୍ରହ୍ମପୁର ସ୍ବତନ୍ତ୍ର ଟ୍ରେନ୍‌ରେ ୧୦.୪୮% ଯାତ୍ରୀ ଯାଇଛନ୍ତି ଏବଂ ୨୫.୭୬% ଆସିଛନ୍ତି। ଭୁବନେଶ୍ୱର-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ରେ ୪୨.୬୭% ଯାତ୍ରୀ ଯାଇଛନ୍ତି ଏବଂ ୪୧.୫୮% ଆସିଛନ୍ତି। ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍‌ରେ ୨୩.୦୫% ଯାତ୍ରୀ ଯାଇଥିବାବେଳେ ୨୦.୪୯% ଯାତ୍ରୀ ଆସିଥିବା ପୂର୍ବତଟ ରେଳପଥର ତଥ୍ୟରୁ ଜଣାପଡ଼ିଛି। ତେବେ କୋଭିଡ୍‌-୧୯ ନିର୍ଦ୍ଦେଶାନାମା ଅନୁସାରେ ପୂର୍ବତଟ ରେଳପଥ ପରିସୀମା ଷ୍ଟେଶନ ଅଞ୍ଚଳରେ ସ୍ବଚ୍ଛତା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ନିୟମିତ ବ୍ୟବଧାନରେ ଷ୍ଟେଶନ୍‌, ଟ୍ରେନ୍‌, ଷ୍ଟେଶନ୍‌ ଅଞ୍ଚଳ, ଆବାସିକ ସ୍ଥାନ ବିଶୋଧିତ କରାଯାଉଛି। ଯାତ୍ରୀଙ୍କ ଶରୀରର ତାପମାତ୍ରା ମପାଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି। ସୁରକ୍ଷିତ ଯାତ୍ରା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଟ୍ରେନ୍‌ କୋଚ୍‌ଗୁଡ଼ିକର ନିୟମିତ ବିଶୁଦ୍ଧିକରଣ କରାଯାଉଛି। ଏହାସତ୍ତ୍ୱେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଭୟ ରହୁଥିବାରୁ ସାଧାରଣ ଲୋକେ ଅତ୍ୟାବଶ୍ୟକ ନ ଥିଲେ ଟ୍ରେନ୍‌ରେ ଯାତ୍ରା କରୁ ନ ଥିବା ଦେଖାଯାଉଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Share