Categories: ଜାତୀୟ

ତଦନ୍ତ ଭୟ ନା କ୍ଷମତା ଲୋଭ

ମୁମ୍ବାଇ, ୩ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ରବିବାର ପଞ୍ଚମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, କିନ୍ତୁ କୌଣସି ଥର ସେ ୫ ବର୍ଷ ପୂରା କରିପାରି ନାହାନ୍ତି। ୨୦୧୯ ନଭେମ୍ବର ୨୩ରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ କ୍ଷମତା ଦଖଲର ବିଫଳ ପ୍ରୟାସ କରିଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସେ ପରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ରାତି ପାହିଲେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥାଆନ୍ତେ। କିନ୍ତୁ ରାତି ପାହିବାକୁ ଦିଆଗଲା ନାହିଁ। କୌଣସି କ୍ୟାବିନେଟ ବୈଠକ ନ ବସି ଭୋର ୫ଟା ୧୭ରେ ବିଚିତ୍ର ଢଙ୍ଗରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଥିଲା। ତତ୍କାଳୀନ ରାଜ୍ୟପାଳ ଭଗତସିଂ କୋଶିୟାରୀ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ସୁପାରିସ କରି ଫଡ୍‌ନବିସ ଏବଂ ଅଜିତଙ୍କୁ ସକାଳ ୮ଟାରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। କିନ୍ତୁ ସେହି ସରକାର ୮୦ ଘଣ୍ଟାରୁ ଅଧିକ ସମୟ ତିଷ୍ଠିପାରି ନ ଥିଲା। ୨୦୧୯ ନଭେମ୍ବରରେ ଉଦ୍ଧବଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରରେ ଅଜିତ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତବର୍ଷ ଜୁନ୍‌ ୨୧ ପର୍ଯ୍ୟନ୍ତ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଏକନାଥ ଶିନ୍ଦେ ବିଦ୍ରୋହୀ ସାଜିବା ପରେ ଏମ୍‌ଭିଏ ସଂଖ୍ୟାଗରିଷ୍ଠତା ହରାଇଥିବା ଜାଣି ୩୦ ତାରିଖରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ କ୍ଷମତାଲୋଭୀ ଅଜିତଙ୍କ ଉପମୁଖ୍ୟମନ୍ତ୍ରୀ ପଦ ଯାଇଥିଲା। ରବିବାର ଶିନ୍ଦେଙ୍କ ଅଧୀନରେ ଅଜିତ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅଶୋକ ଚଭନ ଓ ପୃଥ୍ବୀରାଜ ଚଭନଙ୍କ ନେତୃତ୍ୱାଧୀନ କଂଗ୍ରେସ-ଏନ୍‌ସିପି ସରକାର ଅମଳରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୯ରେ ଅଜିତ କୃଷିମନ୍ତ୍ରୀ ଥିବାବେଳେ ୭୦,୦୦୦ କୋଟି ଟଙ୍କାର ଜଳସେଚନ ଦୁର୍ନୀତି ହୋଇଥିଲା। ୨୦୧୪ରେ ବିରୋଧୀ ଦଳରେ ଥିବା ଫଡ୍‌ନବିସ୍‌ ଏହି ପ୍ରସଙ୍ଗ ଉଠାଇ ଏନ୍‌ସିପିକୁ ଘେରିଥିଲେ। ଏବେ ମଧ୍ୟ ଅଜିତ ଓ ତାଙ୍କ ସମ୍ପର୍କୀୟମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ପକ୍ଷରୁ ତଦନ୍ତ ଚାଲିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଥିବାବେଳେ ଏନ୍‌ସିପିର ଅନେକ ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହଇରାଣ କରୁଛି। ଇଡି ତଦନ୍ତକୁ ନେଇ ସେମାନେ କ୍ଳାନ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସେହି ବିଧାୟକମାନେ ଅଜିତଙ୍କ ସହ ଯାଇଥିବା ଦେଖିବାକୁ ମିଳିଛି ବୋଲି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି।

Share