ହାରିବା ଭୟ ଘାରିଲାଣି: ବିଜେଡି

ଭୁବନେଶ୍ବର,୨୯ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ରାଜ୍ୟ ଭାଜପା ନେତାଙ୍କ ମୁଣ୍ଡ ଆଉ କାମ କରୁନାହିଁ। ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ହେଉଛନ୍ତି। ଜଣେ ମହିଳାଙ୍କ ମୁହଁ ଢାଙ୍କି ଟଙ୍କା ବଣ୍ଟା କରାଇବାର ଭିଡିଓ ଛାଡ଼ି ଏସ୍‌ଏଚ୍‌ଜି ମହିଳାଙ୍କୁ ବଦନାମ କରିବାକୁ ଭାଜପା ଯେଉଁ କୁତ୍ସିତ ଚାଲ ଖେଳିଥିଲା ତାହା ବିଫଳ ହୋଇଯିବା ପରେ ଏବେ ସୋସିଆଲ ମିଡିଆରେ ଏକ ମିଥ୍ୟା ଅଡିଓ ଛାଡ଼ିଛି। ବିଜେଡି ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ‘ଚୋରି କରି ସିନା ଜୋରି’ ଦେଖାଇବା ଭାଜପାର ପୁରୁଣା ଅଭ୍ୟାସ ବୋଲି କୁହାଯାଇଛି। ବିଜେଡି ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛି, ଉପନିର୍ବାଚନ ଯେତେ ପାଖେଇ ଆସୁଛି ଭାଜପା ଶିବିର ସେତେ ହତୋତ୍ସାହିତ ହେବାରେ ଲାଗିଛି। ରାଜ୍ୟ ଭାଜପା ନେତୃବୃନ୍ଦ ପୁଣିଥରେ ସୋସିଆଲ ମିଡିଆରେ ନିଜ ହାତ ତିଆରି ଏକ ଅଡିଓ ଛାଡ଼ି ବିଜେଡି ବିରୋଧରେ ସାଇବର ଥାନାରେ ହାସ୍ୟାସ୍ପଦ ଅଭିଯୋଗ ଆଣିଛନ୍ତି ବୋଲି ବିଜେଡି ନେତା ଲେନିନ୍‌ ମହାନ୍ତି କହିଛନ୍ତି। ଯଦି ସତସାହସ ଅଛି ତେବେ ଭାଜପା ନେତାମାନେ ଏଥିରେ ବିଜେଡିର କଥିତ ସମ୍ପୃକ୍ତି ନେଇ ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି।

Share