Categories: ଜାତୀୟ

ସାମରିକ ଶାସକଙ୍କୁ ଭୟ: ଭାରତରେ ଅନୁପ୍ରବେଶ କଲେ ୬୦୦୦ ଶରଣାର୍ଥୀ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ପଡ଼ୋଶୀ ଦେଶ ମ୍ୟାନମାର୍‌ରେ ଜାରି ରହିଥିବା ସାମରିକ ଶାସକଙ୍କ ଅତ୍ୟାଚରରେ ଅତିଷ୍ଠ ହୋଇ ୬୦୦୦ ମ୍ୟାନମାର୍‌ବାସୀ ଭିଟା ଛାଡ଼ି ଭାରତରେ ଶରଣ ନେଇଛନ୍ତି। ସେମାନେ ମିଜୋରାମରେ ଅନୁପ୍ରବେଶ କରିଛନ୍ତି। ସେମାନଙ୍କର ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଭାରତ ମ୍ୟାନମାର୍‌ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଷ୍ଟିରେ ରଖି ଶରଣାର୍ଥୀଙ୍କୁ ଫେରାଇ ନେବାକୁ ସାମରିକ ଶାସକ ଗତମାସରେ ମିଜୋରାମ ସରକାରଙ୍କୁ ଚିଠି ଲେଖିଥିଲେ। ଫେବୃୟାରୀରେ ମ୍ୟାନମାର୍‌ରେ କ୍ଷମତା ଦଖଲ ପରେ ୪୦୦୦ରୁ ୬୦୦୦ ଶରଣାର୍ଥୀ ଭାରତ ସରକାରଙ୍କୁ ସୁରକ୍ଷା ମାଗିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ ୬,୭୦୦ ଲୋକ ସାମରିକ ଶାସକଙ୍କ ନିର୍ଯାତନା ସହି ନ ପାରି ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେଥିମଧ୍ୟରୁ ୧,୭୦୦ ଥାଇଲାଣ୍ଡରେ ଶରଣ ନେଇ ପରବର୍ତ୍ତୀ ସମୟରେ ମ୍ୟାନମାର୍‌ ଫେରିଆସିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମ୍ୟାନମାର୍‌ରୁ ମିଜୋରାମ, ମଣିପୁର,ନାଗାଲାଣ୍ଡ୍‌, ଅରୁଣାଚଳପ୍ରଦେଶରେ ଅନୁପ୍ରବେଶ ହେଉଥିବା ନେଇ ସତର୍କ ସୂଚନା ଜାରି କରି ସାରିଛନ୍ତି। ପରିସ୍ଥିତିର ମୁକାବିଲା କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉପସଚିବ କୃଷ୍ଣ ମୋହନ ଅପ୍ପୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ସାବଧାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share