ମୋଦିଙ୍କ କରୋନା କୂଟନୀତିକୁ ଭୟ: ମିଥ୍ୟା ପ୍ରଚାର ଆରମ୍ଭ କଲା ଗ୍ଲୋବାଲ ଟାଇମ୍ସ୍‌

ନୂଆଦିଲ୍ଲ/ବେଜିଂ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ସାର୍ବଜନୀକ ଭାବେ ଟିକାକରଣ ଜାରି ରହିଛି। ଏହା ସହିତ ଭାରତ ପକ୍ଷରୁ ବାଂଲାଦେଶ, ନେପାଳ, ଭୁଟାନ ଆଦି ପଡୋଶୀଙ୍କୁ ଟିକା ଯୋଗାଇ ଦିଆଯାଇଛି। ସେହିପରି ବ୍ରାଜିଲ୍‌ ସମେତ ଅନ୍ୟ ଦେଶକୁ ଭାରତ ତିଆରି କରୋନା ଟିକା ଯୋଗାଇ ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଅର୍ନ୍ତଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା କୂଟନୀତି ବେଶ୍‌ ସଫଳ ରହିଛି। ତେବେ ଏହାକୁ ନେଇ ଚାଇନା ଚିନ୍ତାରେ ପଡ଼ିଛି। ତେଣୁ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ ମିଥ୍ୟା ପ୍ରଚାର ଆରମ୍ଭ ହୋଇଛି। ପୁଣେର ସେରମ୍‌ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ ଗ୍ଲୋବାଳ ଟାଇମ୍ସ୍‌ ଅପପ୍ରଚାର କରୁଛି। ଭାରତର କରୋନା ଟିକା ଉତ୍ପାଦନ କରିବା କ୍ଷମତା ଉପରେ ଖବର କାଗଜ ପକ୍ଷରୁ ପ୍ରଶ୍ନ କରାଯାଇଛି। ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ଛାଡ଼ି ଅନ୍ୟ ସାର୍କ ରାଷ୍ଟ୍ରକୁ ଭାରତ ଉପହାର ଭାବେ କୋଭିଶିଲ୍ଡ ଟିକା ପଠାଇ ସାରିଛି। ଆଫଗାନିସ୍ତାନ ଡ୍ରଗ୍‌ ନିୟାମକଙ୍କ ସ୍ବୀକୃତି ପରେ ଭାରତ ଟିକା ଯୋଗାଇ ଦେବେ ବୋଲି କହିଛି। ସେହିପରି ଶ୍ରୀଲଙ୍କାକୁ ୨୭ ଜାନୁୟାରୀରେ ଭାରତ ଟିକାର ୫ଲକ୍ଷ ଡୋଜ୍‌ ପଠାଇବ। ଏହା ଚାଇନା ପାଇଁ ଅସହ୍ୟ ହୋଇପଡ଼ିଛି। ଭାରତର ଏଭଳି ପଦକ୍ଷେପ ଯୋଗୁ ଚାଇନା ଟିକା ବେପାର ମାନ୍ଦା ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାରତ ବିରୋଧୀ ଅପପ୍ରଚାର ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରିବା ଲାଗି ଚାଇନା ଷଡ଼ଯନ୍ତ୍ର କରିଥିବା କୁହାଯାଉଛି।

Share