ଗୋଟିଏ ମାସ ମଧ୍ୟରେ ୧୦୮ ଦେଶରେ ପହଞ୍ଚିଲାଣି ଓମିକ୍ରନ୍ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ, ଖ୍ରୀଷ୍ଟମାସ ପୁର୍ବ ସନ୍ଧ୍ୟା ସୁଦ୍ଧା ରଦ୍ଦ ହେଲାଣି ୪ହଜାର ୫୦୦ ବିମାନ

ୱାଶିଂଟନ,୨୫ ।୧୨: ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ସାଉଥ୍ ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ଭାରିଏଣ୍ଟ ଗୋଟିଏ ମାସ ମଧ୍ୟରେ ପାଖାପାଖି ୧୦୮ ଦେଶକୁ ବ୍ୟାପି ସାରିଲାଣି । ଆମେରିକା, ବ୍ରିଟେନ ଭଳି ବଡ ବଡ ଦେଶରେ ଏହା ତାଣ୍ଡବ ରଚିବା ଲକ୍ଷ୍ୟରେ ଯେମିତି ରହିଛି । ବିଶେଷଜ୍ଞମାନେ ବି ଓମିକ୍ରନ ସଂକ୍ରମଣକୁ ନେଇ ଚେତାବନୀ ଦେଇ ଚାଲିଛନ୍ତି । ତେବେ ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର କଟକଣା ଲାଗୁ କରାଗଲାଣି । ଏହାର ପ୍ରଭାବ ପୁଣିଥରେ କରୋନା ଭଳି ଏୟାର ଲାଇନ୍ସ ଉପରେ ପଡିଛି । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ପାଖାପାଖି ୪୫୦୦ ବିମାନକୁ ରଦ୍ଧ କରାଯାଇଥିବା ଜଣାପଡିଛି । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ ଫ୍ଲାଇଟଆୱାର ଡଟ୍ କମ୍‌ର ସୂଚନା ଅନୁଯାୟୀ ଖ୍ରୀଷ୍ଟମାସ ପୁର୍ବ ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ଥାତ୍ ଶୁକ୍ରବାର ପର୍ଯ୍ୟନ୍ତ ଅତିକମରେ ୨୩୬୬ ବିମାନକୁ ରଦ୍ଧ କରାଯାଇଛି । ଅନ୍ୟପଟେ ୯୦୦୦ ବିମାନ ବିଳମ୍ବରେ ଉଡିବା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଖ୍ରୀଷ୍ଟମାସ ଦିନ ୧୭୭୯ ବିମାନ ଉଡାଣକୁ ରଦ୍ଦ କରାଯାଇଛି ଓ ୪୦୨ ବିମାନକୁ ରବିବାରକୁ ନିର୍ଦ୍ଧାରିତ କରାଯାଇଛି । ଆମେରିକାରେ ଏକ ସପ୍ତାହ ମଧ୍ୟରେ ଏକ ଚତୁର୍ଥାଂଶରୁ ଅଧିକ ଉଡାଣକୁ ରଦ୍ଦ କରିଦିଆଯାଇଛି ।
ପାଖାପାଖି ୧ ମାସ ପୂର୍ବରୁ ଓମିକ୍ରନ୍‌ର ପ୍ରଥମ ଘଟଣା ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ହେଲେ ଏହାର ସଂକ୍ରମଣ ଏତେ ଅଧିକ ଥିଲା ଯେ ମାତ୍ର ଗୋଟିଏ ମାସ ମଧ୍ୟରେ ଏହା ୧୦୮ ଦେଶକୁ ବ୍ୟାପି ସାରିଲାଣି । ଏହାସହ ସାରା ବିଶ୍ୱରେ ୧,୫୧,୩୬୮ ଜଣ ସଂକ୍ରମିତ ହୋଇ ସାରିଲେଣି । ଏମାନଙ୍କ ମଧ୍ୟରୁ ୨୬ ଜଣଙ୍କର ମୃତ୍ୟୁ ବି ହେଲାଣି ।

Share