ଡକାୟତି, ଲୁଟ୍‌ ଭୟ: ରାତିରେ ଶୋଉନାହାନ୍ତି ଦେଶବାସୀ

ଢାକା,୮ା୮:ବାଂଲାଦେଶରେ ଶେଖ୍‌ ହାସିନା ସରକାରର ପତନ ପରେ ଅରାଜକତା ଲାଗିରହିଛି। ଲୁଟ୍‌ପାଟ ଓ ଡକାୟତି ଭୟରେ ଲୋକମାନେ ରାତିରେ ନ ଶୋଇ ଦଳବଦ୍ଧ ହୋଇ ରାସ୍ତାଘାଟ ଓ ଗଳିଗୁଡ଼ିକରେ ପହରା ଦେଉଛନ୍ତି। ସୋମବାର ଶେଖ୍‌ ହାସିନା ଦେଶ ଛାଡ଼ି ପଳାଇବା ପରେ ଦେଶର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ସୁରକ୍ଷା ଯବାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଥିବାରୁ ପୋଲିସ ଡ୍ୟୁଟିରେ ଯୋଗ ଦେଉନାହିଁ। ଆନ୍ଦୋଳନକାରୀଙ୍କ ଦ୍ୱାରା ସୃଷ୍ଟ ଅରାଜକତା ଓ ଭୟ ଏବେ ମଧ୍ୟ ଲାଗିରହିଛି। ୨ ଦିନ ହେଲା ଆଇନ ଶୃଙ୍ଖଳା ସ୍ଥିତି ଅଭାବରୁ ଅପରାଧୀ ଗ୍ୟାଙ୍ଗ୍‌ଗୁଡ଼ିକ ଲୁଟ୍‌ ଓ ଡକାୟତିରେ ମାତିଛନ୍ତି। ଫଳରେ ସୁରକ୍ଷାକୁ ନେଇ ଲୋକେ ପ୍ରମାଦ ଗଣୁଛନ୍ତି। ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ। ଫଳରେ ଲୋକମାନଙ୍କୁ ସତର୍କ ରହିବାକୁ ମସ୍‌ଜିଦଗୁଡ଼ିକ ନିୟମିତ ଘୋଷଣା କରିଥିଲେ। ବୁଧବାର ରାତିରେ ରାଜଧାନୀ ଢାକାର ଉତ୍ତରାଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କ ପଡୋଶୀମାନଙ୍କ ସହ ମିଶି ପହରା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ମଦ୍ରାସାଗୁଡ଼ିକର ଶହ ଶହ ଛାତ୍ର ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଜଗୁଥିବା ଦେଖାଯାଇଛି।

Share