ଭୁବନେଶ୍ୱର,୨।୫(ବ୍ୟୁରୋ): ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ବାତ୍ୟା ନାଁ ଶୁଣିବା ମାତ୍ରେ ଉପକୂଳବାସୀଙ୍କ ମନରେ ଛନକା ପଶିଛି। ଲଘୁଚାପ ସମ୍ଭାବ୍ୟ ବାତ୍ୟାର ସଙ୍କେତ ଦେଉଥିବା ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ନେଇ ପୂରା ସୂଚନା ଦିଆଯିବ ବୋଲି କୁହାଯାଇଛି । କିନ୍ତୁ ମେ’ ବାତ୍ୟା ପାଇଁ ଅନୁକୂଳ ଥିବାରୁ ଏବେ ସମସ୍ତେ ଚିନ୍ତାରେ । କାରଣ ଅନେକ ସମୟରେ ଦେଖାଯାଇଛି ମେ’ ମାସରେ ହିଁ ଲଘୁଚାପ, ସାଇକ୍ଲୋନିକ କିମ୍ବା ସିଭିୟର ସାଇକ୍ଲୋନିକ ରୂପ ନେଇପାରେ । ତେଣୁ ବର୍ତ୍ତମାନ ସମୁଦ୍ରରେ ସୃଷ୍ଟି ହେଉଥିବା ଲଘୁଚାପ ଯଦି ସାଇକ୍ଲୋନିକ ରୂପ ନେବ ତେବେ ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ । ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ।