୧୯ ଜିଲାରେ କାଳବୈଶାଖୀ ଭୟ

ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଥିବା ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ୧୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମୁତାବକ, ଶନିବାର ଅପରାହ୍ନ ସାଢେ ୧ଟାରୁ ରବିବାର ସକାଳ ସାଢେ ୮ଟା ମଧ୍ୟରେ ରାଜ୍ୟର ସୋନପୁର, ବୌଦ୍ଧ, ନୂଆପଡ଼ା ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହିସବୁ ଜିଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।

କାଳବୈଶାଖୀ ଓ ବଜ୍ରପାତ ସମୟରେ ଘରୁ ପଦାକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜୁନ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରିଛି।

Share