Categories: ଫୁରସତ

ସ୍ପର୍ଶର ଭୟ ‘ଜର୍ମୋଫୋବିଆ’

ନୂଆଦିଲ୍ଲୀ: ନିକଟରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ ଇନ୍‌ଙ୍କ ସହ ହାତ ମିଳାଇବା ପରେ ହାରିସ୍‌ ତାଙ୍କ ଟ୍ରାଉଜରରେ ହାତ ପୋଛୁଥିବା ଦେଖିବାକୁ ମିଳୁଛି। ଏହି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ତୁଙ୍ଗନେତାଙ୍କ ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହାକୁ ଅନେକେ ରଙ୍ଗଭେଦ ବୋଲି କହୁଥିବାବେଳେ ଅନ୍ୟ କେତେଜଣ ଏହାକୁ ଜର୍ମୋଫୋବିଆ କହୁଛନ୍ତି।
କ୍ୱଚିତ୍‌ ମଣିଷଙ୍କୁ ବାଦ୍‌ଦେଲେ ଅନ୍ୟ ସମସ୍ତେ କୌଣସି ନା କୌଣସି ଫୋବିଆରେ ପୀଡ଼ିତ। ହେଲେ ଏହାକୁ ଅଧିକାଂଶ ସମୀକ୍ଷା କରନ୍ତି ନାହିଁ। କେତେଜଣ ପାଣି, ଉଚ୍ଚତମ ସ୍ଥାନକୁ ଦେଖି ଡରିଥାଆନ୍ତି। କୀଟପତଙ୍ଗକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା। ଅନ୍ୟ କେତେଜଣ ବନ୍ଦ କୋଠରି, ବିମାନରେ ଅସ୍ତବ୍ୟସ୍ତ ହୋଇପଡ଼ିବା ନଜିର ରହିଛି। ସାଧାରଣ ଭାବେ କହିଲେ କୌଣସି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ମନରେ ସ୍ବତଃପ୍ରବୃତ୍ତ ଭାବେ ଭୟ ସୃଷ୍ଟି ହେବା ଫୋବିଆ। ‘ଜର୍ମୋଫୋବିଆ’ ସେଥିରୁ ଅନ୍ୟତମ। ଏହାର ଶିକାର ହୋଇଥିବା ଲୋକଙ୍କ ମନରେ ଜର୍ମ ବା କୀଟାଣୁକୁ ନେଇ ଡର ରହିଥାଏ। ସେମାନେ ଅନୁଭବ କରିଥାଆନ୍ତି ଯେ, ଛୁଇଁବା ଦ୍ୱାରା କୀଟାଣୁ ସଂକ୍ରମଣର ଶିକାର ହୋଇଯିବେ। ସେହିପରି ଦୁର୍ଘଟଣା ଶିକାର ହେଲେ କିମ୍ବା କୌଣସି କାରଣରୁ ଆଭ୍ୟନ୍ତରୀଣ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଲେ ସମ୍ପୃକ୍ତ ବ୍ୟକ୍ତି ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଥାଆନ୍ତି। ଏହା ଧୀରେ ଧୀରେ ଅଭ୍ୟାସରେ ପରିଣତ ହୋଇଯାଏ। ଫଳରେ ସମ୍ପୃକ୍ତ ବ୍ୟକ୍ତି ଜର୍ମୋଫୋବିଆର ଶିକାର ହେବା ଆଶଙ୍କା ବେଶି। ଏହି ରୋଗର ନିର୍ଦ୍ଦିଷ୍ଟ ଭାବେ କୌଣସି ଚିକିତ୍ସା ପଦ୍ଧତି ନାହିଁ। ତେବେ ଔଷଧ ସେବନ ସମେତ ମନସ୍ତାତ୍ତ୍ୱିକ ଚିକିତ୍ସା ଦ୍ୱାରା ଏହାର ଉପଶମ କରାଯାଇପାରିବ, ଯାହା ଏକ ଦୀର୍ଘ ପ୍ରକ୍ରିୟା ଏବଂ ବ୍ୟୟବହୁଳ ମଧ୍ୟ।

ସଂକ୍ରମଣକୁ ବେଶି ଡର

ସ୍ବଚ୍ଛ ପରିବେଶରେ ରହିବା ସ୍ବାସ୍ଥ୍ୟ ପକ୍ଷେ ନିଶ୍ଚିତ ଭାବେ ଉପଯୋଗୀ। ହେଲେ କେତେଜଣ ସଫାସୁତରା ରହିବାକୁ ଅତ୍ୟଧିକ ଗୁରୁତ୍ୱ ଦିଅନ୍ତି। ଏଥିରେ ସେମାନେ ଧୀରେ ଧୀରେ ଅଭ୍ୟସ୍ତ ହୋଇଯାଆନ୍ତି। ଫଳରେ ସାମାନ୍ୟ ଧୂଳି, ମଇଳା ଦେଖିଲେ ସେମାନଙ୍କୁ ଘାରିଥାଏ କୀଟାଣୁ ସଂକ୍ରମଣର ଭୟ। ଏହା ହିଁ ‘ଜର୍ମୋଫୋବିଆ’ ବା ‘ମାଇସୋଫୋବିଆ’। କେବଳ ଏତିକି ନୁହେଁ, ଅତ୍ୟଧିକ ସ୍ବଚ୍ଛ ପରିବେଶରେ ରନ୍ଧାଯାଇଥିବା ଖାଦ୍ୟରେ ବି ସେମାନେ ମାରାତ୍ମକ ଭୂତାଣୁର ପରିକଳ୍ପନା କରିଥାଆନ୍ତି। ଏହାର ଶିକାର ହୋଇଥିବା ବ୍ୟକ୍ତି ସାଧାରଣ ଧୂଳି ପରିବେଶ, ଭିଡ଼ସ୍ଥାନରେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି। ନିଜର ବ୍ୟକ୍ତିଗତ ସାମଗ୍ରୀ ଅନ୍ୟ କାହାକୁ ଦେବାକୁ ପସନ୍ଦ କରନ୍ତି ନାହିଁ। ଜରୁରୀ କାମ ଛାଡ଼ି ଅଧିକାଂଶ ସମୟ ସଫେଇରେ ବିତାଇଥାନ୍ତି। ଅତ୍ୟଧିକ ଭୟ କାରଣରୁ ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଶ୍ୱାସକ୍ରିୟା ପ୍ରଭାବିତ ହେବା, ହୃଦ୍‌ସ୍ପନ୍ଦନ ବଢ଼ିବା, ଛାତିରେ ଯନ୍ତ୍ରଣା, ଥରିବା ଭଳି ଲକ୍ଷଣ ମଧ୍ୟ ଦେଖାଦେଇଥାଏ।

Share