ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି ଦେଉଥିବା ଦେଖାଯାଇଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଜସ୍ଥାନରେ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହି କ୍ରମରେ ଏସିବିର ଏକ ଟିମ୍‌ ସିରୋହି ଜିଲାରେ ପହଞ୍ଚିଥିଲା। ହେଲେ ସେଠାରେ ଯାହା ହେଲା ସମସ୍ତେ ଚକିତ ହୋଇଯାଇଛନ୍ତି। ପିଣ୍ଡୋ ବାରାତ ତହସିଲର ତହସିଲଦାର ଘରେ ଚଢ଼ାଉ କରିବାକୁ ଆସିଥିବା ଏସିବିର ଅଧିକାରୀମାନଙ୍କୁ ଦେଖି କବାଟ ବନ୍ଦ କରିଦେଇଥିଲେ। ପରେ ଦୀର୍ଘ ସମୟ ଧରି ଏସିବିର ଟିମ୍‌ ବାହାରେ ଛିଡ଼ା ହୋଇ କବାଟ ଖୋଲନ୍ତୁ ବୋଲି କହିଥିଲେ। ହେଲେ ସେତେବେଳେ ଧରାପଡ଼ିଯିବା ଭୟରେ ତହସିଲଦାର ଲକ୍ଷ ଲକ୍ଷ ଟଙ୍କାର ନୋଟ୍‌କୁ ଗ୍ୟାସ ଚୁଲାରେ ଜାଳୁଥିଲେ। ଏଥିରେ ତାଙ୍କ ସ୍ତ୍ରୀ ତାଙ୍କୁ ସହଯୋଗ କରୁଥିଲେ। ପରେ ଉକ୍ତ ତହସିଲଦାର କଳ୍ପେଶ ଜୈନଙ୍କୁ ଗିରଫ କରାଯାଇଥିବା ବେଳେ ଅଧାଜଳା ନୋଟର ବଣ୍ଡଲ ଜବତ କରାଯାଇଛି।

ତହସିଲଦାର କଳ୍ପେଶ ଜଣେ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଏସ୍‌ସିବି ଜାଣିବାକୁ ପାଇଥିଲା। ଏହାପରେ ଏସିବି ତତ୍ପର ହୋଇଉଠିଥିଲା। ଯାଞ୍ଚ ବେଳେ ପ୍ରଥମେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ଆର୍‌ଆଇ ଧରାପଡ଼ିଥିଲେ। ସେ ଏହି ଟଙ୍କା ତହସିଲଦାରଙ୍କ ପାଇଁ ନେଉଥିବା କହିଥିଲେ। ପରେ ଏସ୍‌ସିବିର ଅଧିକାରୀମାନେ ଆର୍‌ଆଇଙ୍କୁ ନେଇ କଳ୍ପେଶଙ୍କ ଘରକୁ ଯାଇଥିଲେ। ହେଲେ ସେ ଅଧିକାରୀଙ୍କୁ ଦେଖିବା କ୍ଷଣି କବାଟ ବନ୍ଦ କରି ଟଙ୍କା ଜାଳିବାକୁ ଚେଷ୍ଟା କରିଥିଲେ। ଫଳରେ ଘର ଭିତରୁ ଧୂଆଁ ବାହାରିଥିଲା। ଏହା ଦେଖି ଏସ୍‌ସିବିର ଟିମ୍‌ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ଯାହା ଦେଖିଲେ ଚକିତ ହୋଇଗଲେ। ଗ୍ୟାସ୍‌ ଉପରେ ୨୦ ଲକ୍ଷ ଟଙ୍କା ଅଧାରୁ ଅଧିକ ଜଳି ସାରିଥିବା ବେଳେ ୧.୫ ଲକ୍ଷ ଟଙ୍କା ଏସ୍‌ସିବି ଜବତ କରିଛି। ଏବେ ତହସିଲଦାରଙ୍କୁ ଗିରଫ କରାଯାଇ ତାଙ୍କର ମୋଟ ସମ୍ପତ୍ତି ଯାଞ୍ଚ କରାଯାଉଛି।

Share