କରୋନା ଭୟରେ ପରିବାର ଲୋକ ନେଲେନି ମୃତଦେହ: ସାମାଜିକ କର୍ମୀ କଲେ ସତ୍କାର

ବୌଦ୍ଧ, ୩୧ା୮(ସ୍ବ.ପ୍ର.)-କରୋନା ଭୟରେ ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ନେବାକୁ ମନା କରିଦେଲେ ା ଶେଷରେ ପ୍ରଶାସନ ପକ୍ଷରୁ ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କର ଶବ ସତ୍କାର କରାଗଲା ା ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ସହରର ଖଲିଆବଗିଚା ଅଞ୍ଚଳରେ ଦେଖିବାକୁ ମିଳିଛି ା
ପ୍ରକାଶ ଯେ, ଖଲିଆବଗିଚାର ଜଣେ ଯୁବକ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। କିଛିଦିନ ତଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ କରୋନା ପଜିଟିଭ ବାହାରିବାରୁ ତାଙ୍କୁ ସମ୍ବଲପୁର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ୮ ଦିନ ରହି ଚିକିତ୍ସିତ ହେବା ପରେ ତାଙ୍କୁ ଆମ୍ବୁଲାନସ ଯୋଗେ ବୌଦ୍ଧ ଅଣାଯାଇଥିଲା। ତେବେ ସାହିର ଲୋକେ ତାଙ୍କୁ ଘରେ ପୁରାଇବାକୁ ମନା କରିବାରୁ ରବିବାର ରାତିରେ ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ତାଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଭିଡ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ା ମାତ୍ର ପରିବାର ଲୋକ ମୃତଦେହ ନେବାକୁ ମନା କରି ଦେବା ଫଳରେ ପ୍ରଶାସନ ପକ୍ଷରୁ ଗଙ୍ଗାଧର ସାମାଜିକ କର୍ମୀ ସଂଗଠନର ସଦସ୍ୟମାନଙ୍କ ସହାୟତାରେ ବୌଦ୍ଧ ଶ୍ମଶାନ ଘାଟଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।