ନୂଆଦିଲ୍ଲୀ,୨୧।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ନିକଟରେ ଆମ ଦଳର କିଛି ଲୋକ ଯାଞ୍ଚ୍ ଏଜେନ୍ସି ଭୟରେ ଏନଡିଏରେ ଯୋଗ ଦେଇଥିଲେ। ସେହି ନେତାମାନଙ୍କ ମଧ୍ୟରୁ ଅନେକ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ସ୍କାନରରେ ଥିଲେ ଏବଂ ଯାଞ୍ଚ୍ର ସମ୍ମୁଖୀନ ହେବାକୁ ଚାହୁଁ ନ ଥିଲେ।
ତାଙ୍କ ପୁତୁରା ଅଜିତ ପାୱାରଙ୍କ ନାମ ନ ରଖି ପାୱାର କହିଛନ୍ତି, ନିକଟରେ ଆମର କିଛି ଲୋକ ଭାଜପା ମେଣ୍ଟ ସରକାରରେ ଯୋଗ ଦେଇଥିଲେ। ସେମାନେ କହିଥିଲେ ଯେ ସେମାନେ ବିକାଶ ପାଇଁ ସରକାରରେ ଯୋଗ ଦେଉଛନ୍ତି, କିନ୍ତୁ ଏହା ସତ୍ୟ ନୁହେଁ। ସେମାନଙ୍କ ମଧ୍ୟରୁ କେତେକ ଲୋକ ଇଡି ସ୍କାନରେ ଥିଲେ।
ସୋସିଆଲ ମିଡିଆରେ ଦଳ ଦ୍ୱାରା ଆୟୋଜିତ ଏକ ସଭାରେ ଏନସିପି କର୍ମୀଙ୍କୁ ସମ୍ବୋଧିତ କରି ପାୱାର କହିଛନ୍ତି, ଅନିଲ ଦେଶମୁଖଙ୍କ ପରି କିଛି ଲୋକ ଯାଞ୍ଚର ସମ୍ମୁଖୀନ ହୋଇଥିଲେ ଏବଂ ଜେଲ ଯିବାକୁ ଗ୍ରହଣ କରିଥିଲେ। ସେ ୧୪ ମାସ ଜେଲରେ ରହିଥିଲେ। ତାଙ୍କୁ ମଧ୍ୟ ସେହି ଦଳ (ଭାଜପା) ରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ତାଙ୍କର ଆଦର୍ଶ ଛାଡି ନାହାଁନ୍ତି ଏବଂ ଏନସିପି ନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
ନିକଟରେ ଅଜିତ ପାୱାର ତାଙ୍କ ସମର୍ଥକ ବିଧାୟକଙ୍କ ସହ ମହାରାଷ୍ଟ୍ର ସରକାରରେ ଯୋଗ ଦେଇଥିଲେ। ଏହା ପରେ ସେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ଅନ୍ୟ ୮ ଜଣ ଏନସିପି ବିଧାୟକ ମଧ୍ୟ ଜୁଲାଇରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।