ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଭିନ୍ନ କାରଣରୁ କେତେକ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା ନ ନେବା ଲାଗି ପୁଡୁଚେରୀର ଜଣେ ଲୋକ ଭୟରେ ଗଛ ଉପରେ ଚଢ଼ିଯାଇଥିବାର ୪୮ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଭିଲ୍ଲଆନୁର ନିକଟରେ ଥିବା କୋନ୍ନେରିକୁପ୍ପମ୍ ଗାଁରେ ସ୍ବାସ୍ଥ୍ୟକର୍ମୀମାନେ ଘରଘର ବୁଲି ଟିକା ଦେବାକୁ ମଙ୍ଗଳବାର ଆସିଥିଲେ। ଗାଁର ୪୪ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଟିକା ନେବାକୁ ମନା କରିଥିଲେ। ଟିକା ନେଲେ କରୋନା ସଂକ୍ରମଣର ଭୟ ରହିବ ନାହିଁ ବୋଲି ସ୍ବାସ୍ଥ୍ୟକର୍ମୀମାନେ ତାଙ୍କୁ ବୁଝାଶୁଝା କରିବାରୁ ସେ ଭୟରେ ଦୌଡ଼ି ନିକଟରେ ଥିବା ଏକ ଗଛ ଉପରେ ଚଢ଼ିଯାଇଥିଲେ।
ତାଙ୍କୁ ତଳକୁ ଆସିବାକୁ ଯେତେ କହିଲେ ମଧ୍ୟ ସେ ଶୁଣି ନ ଥିଲେ। ଶେଷରେ ବାଧ୍ୟ ହୋଇ ସ୍ବାସ୍ଥ୍ୟକର୍ମୀମାନେ ସେଠାରୁ ପଳାଇ ଯାଇଥିଲେ।