Categories: ଅନୁଗୋଳ

ଶହୀଦ୍‌ଙ୍କ ମା’ବାପାଙ୍କୁ ସମ୍ବର୍ଦ୍ଧନା

ବଇଣ୍ଡା,୨୯।୫(ଡି.ଏନ.ଏ.): ଦେଶ ପାଇଁ ଜୀବନ ଦେଇ ଶହୀଦ୍‌ ହୋଇଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଦେବାଶିଷ ସେଠୀଙ୍କ ମାତା ପିତାଙ୍କୁ ରାଜ୍ୟ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶନିବାର କଟକସ୍ଥିତ ପୋଲିସ ମୁଖ୍ୟାଳୟଠାରେ ଡିଜି ସୁନୀଲ ବଂଶଲ ଶହୀଦ ଦେବାଶିଷଙ୍କ ମା’ ଛାଇ ସେଠୀ ଓ ବାପା ସନାତନ ସେଠୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦେବାଶିଷ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଡିଜିପି ବଂଶଲ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଦେବାଶିଷ ୨୦୨୦ ସେପ୍ଟେମ୍ବର ୯ରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଶହୀଦ ହୋଇଥିଲେ। ସାହସିକତା ପାଇଁ ଦେବାଶିଷଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିଯିବ। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶହୀଦ ଦେବାଶିଷଙ୍କ ମା’ବାପାଙ୍କୁ ଏହି ସମ୍ମାନ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଶନିବାର ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କ ଜରିଆରେ ଶହୀଦଙ୍କ ମା ଓ ବାପା ଦିଲ୍ଲୀ ଯିବା ଅବସରରେ ପୋଲିସ ଡିଜି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବହୁ ପୋଲିସ ଅଧିକାରୀଙ୍କ ସମେତ ସାମାଜିକ କର୍ମୀ ଅର୍ଜୁନ କୁମାର ସାହୁ ଉପସ୍ଥିତ ଥିଲେ।