ଦିଗପହଣ୍ଡି,୫।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଟିନଡା ଗ୍ରାମର ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନ ସଂଘର କଳାକାରମାନଙ୍କୁ ସ୍ଥାନୀୟ ସ୍ମୃତି କମିଟି ପକ୍ଷରୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ସଂଘ ଆଖଡ଼ା ଘରେ ଏକ ସଭା ହୋଇଥିଲା। ଏଥିରେ ଉପଦେଷ୍ଟା ସରୋଜ ବିଷୋୟୀ ସଭାପତିତ୍ୱ କରିଥିଲେ। ସ୍ମୃତି କମିଟିର କର୍ମକର୍ତ୍ତା ଆଇନଜୀବୀ ଅଶେଷ ନାଥ ମିଶ୍ର, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ଖବରଦାତା ଗୋପାଳକୃଷ୍ଣ ମଲ୍ଲିକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଲୋକକଳା ସଂସ୍କୃତିର ସୁରକ୍ଷା ଦିଗରେ ରାଧାକୃଷ୍ଣ ମହିଳା ସଙ୍କୀର୍ତ୍ତନ ସଂଘର କଳାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମସ୍ତ କଳାକାର ଏହାକୁ ବଞ୍ଚାଇ ରଖିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଗତ ପ୍ରାୟ ୨ ବର୍ଷ ହେଲା ସଂଘ ଗଠିତ ହୋଇଛି। ବ୍ରତଘର, ଗୃହ ପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ଆମକୁ ନିମନ୍ତ୍ରଣ ମିଳିଥାଏ ବୋଲି ସଂଘ ପରିଚାଳିକା ରଞ୍ଜିତା ବିଷୋୟୀ, ଅପୂର୍ବ ବିଷୋୟୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂଘ କୋଷାଧ୍ୟକ୍ଷ ନିତ୍ୟାନନ୍ଦ ବେହେରା, ଅଭିମନ୍ୟୁ ବାଡତ୍ୟା ଓ ଅନ୍ୟମାନେ ଉପସ୍ଥିତ ଥିଲେ।