ଏନ୍‌କାଉଣ୍ଟରରେ ମହିଳା ମାଓବାଦୀ ନିହତ

ମାଲକାନଗିରି/ଏମ୍‌ଭି୭୯,୧୮ା୬: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବସ୍ତର ଏବଂ ସୁକ୍‌ମା ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳର ଚାନ୍ଦମେଟା, ପଟେଲପାରା, ଗଡ଼ମେପାରା, ଆଣ୍ଡାଲପାରା, ତୁଲସୀ ଡୋଙ୍ଗ୍ରି, ପାୟାରବ ଏବଂ କାଙ୍ଗେରଘାଟି ଏରିଆରେ ମାଓବାଦୀଙ୍କ ଉପସ୍ଥିତି ନେଇ ପୋଲିସକୁ ସୂଚନା ମିଳିଥିଲା। ଏନେଇ ବସ୍ତର ଓ ଦାନ୍ତେୱାଡା ଡିଆର୍‌ଜି ଟିମ୍‌, ସୁକ୍‌ମା ଜିଲା ପୋଲିସ ଫୋର୍ସ, ସିଆର୍‌ପିଏଫ୍‌ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ କରାଯାଇଥିଲା l ଶୁକ୍ରବାର ସକାଳ ୮ଟାରେ ଚାନ୍ଦମେଟା ଏବଂ ପୟାରଭଣ୍ଟ ଜଙ୍ଗଲରେ ମାଓବାଦୀ ଏବଂ ବସ୍ତର ଡିଆର୍‌ଜି ଟିମ୍‌ ମୁହାଁମୁହିଁ ହୋଇଥିଲେ। ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ତଲାସି ବେଳେ ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଏକେ-୪୭ ରାଇଫଲ, ୨ଟି ପିସ୍ତଲ, ୧୨ ବୋର୍‌ ବନ୍ଧୁକ ସହ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଥିବା ବସ୍ତର ଆଇଜି ସୁନ୍ଦରରାଜ ପି.କହିଛନ୍ତି।

Share