ମିରଟ, ୨୨।୮: ଉତ୍ତର ପ୍ରଦେଶର ମିରଟ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିବା ଜଣେ ମହିଳା ହସ୍ପିଟାଲର ୪ର୍ଥ ମହଲାରୁ ପାଇପ ଯୋଗେ ଖସି ପଳାଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ କଲେଜ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ହସ୍ପିଟାଲ ପକ୍ଷରୁ ମହିଳାଙ୍କୁ ଠାବ କରିବା ଲାଗି ଖୋଜାଖୋଜି ଆରମ୍ଭ ହୋଇଯାଇଛି। ମହିଳାଜଣଙ୍କ ପାଇପ ଯୋଗେ ୪ର୍ଥ ମହଲାରୁ ତଳକୁ ଓହ୍ଲାଇ ଫେରାର୍ ହୋଇଯିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଜଣାପଡ଼ିଛି ଯେ ମହିଳାଜଣଙ୍କୁ ସାଇକ୍ରେଟିକ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ମୁତାବକ ମହିଳାଜଣଙ୍କ ତାଲା ଭାଙ୍ଗି ପଛପଟୁ ପାଇପ୍ ଲାଇନ ଯୋଗେ ଖସି ପଳାଇଥିଲେ। ହସ୍ପିଟାଲ ପକ୍ଷରୁ ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯାଇଛି।
ଚିକିତ୍ସା କରୁଥିବା ମାନସିକ ରୋଗ ବିଭାଗର ମୁଖ୍ୟ ଡାକ୍ତର ତରୁଣ ପାଲ କହିଛନ୍ତି, ୭ ଅଗଷ୍ଟରେ ତାଙ୍କୁ ଜିଲା ହସ୍ପିଟାଲରୁ ଏଠାରେ ଆଣି ଭର୍ତ୍ତି କରାଯାଇଥିଲା। ୧୪ ଅଗଷ୍ଟରେ ସେ କାହାକୁ କିଛି ନ କହି ଓ୍ବାର୍ଡରୁ କେଉଁଆଡ଼େ ପଳାଇଥିଲେ। ପୋଲିସ ସହାୟତାରେ ସେତେବେଳେ ତାଙ୍କୁ ଉଦ୍ଧାର କରାଯାଇ ପୁନର୍ବାର ହସ୍ପିଟାଲକୁ ଅଣାଯାଇଥିଲା। କିନ୍ତୁ ସେହି ମହିଳାଜଣଙ୍କ ପୁଣିଥରେ ଫେରାର୍ ହୋଇଯିବା ଏବେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି।