ମହିଳା ଗର୍ଭବତୀ ମାମଲା: ସ୍ବାସ୍ଥ୍ୟକର୍ମୀଙ୍କୁ ସଶ୍ରମ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ,୧ା୭: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଜଣେ ସ୍ବାସ୍ଥ୍ୟକର୍ମୀ ଶାରୀରିକ ସମ୍ପର୍କ ରଖିବାପରେ ସେ ଗର୍ଭବତୀ ହୋଇଥିଲେ। ପରେ ମହିଳା ଜଣଙ୍କ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଅସ୍ବୀକାର କରିଥିଲେ। ଏ ନେଇ ପୀଡିତା ୨୦୧୭ ନଭେମ୍ବର ୨୨ରେ ଲଇକେରା ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୭୧/୧୭) ରୁଜୁକରି ଅଭିଯୁକ୍ତ ସ୍ବାସ୍ଥ୍ୟକର୍ମୀ ତାଳପଟିଆ ଗ୍ରାମର ଆନନ୍ଦ ଭୂୟାଁ(୪୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ଆନନ୍ଦ ଲଇକେରା ବ୍ଲକ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିଲେ। ଏବେ ଅଭିଯୁକ୍ତ ଜେଲ୍‌ ହାଜତରେ ସଜା କାଟୁଥିବା ବେଳେ କୋର୍ଟରେ ମାମଲା ବିଚାରାଧୀନ ରହିଥିଲା। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲାଜଜ୍‌ ପୋକ୍‌ସୋ ମଦନଲାଲ କେଡିଆ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମହିଳାଙ୍କ ପକ୍ଷରୁ ସରକାରୀ ଆଇନଜୀବୀ ପୃଥିରାଜ ସିଂହଦେଓ ମାମଲା ପରିଚାଳନା କରୁଥିଲେ।

Share