ମହିଳା କଏଦୀ ବିକିବେ ଖାଦ୍ୟସାମଗ୍ରୀ

ଭୁବନେଶ୍ୱର,୨।୧(ବ୍ୟୁରୋ): ଝାରପଡା ସ୍ବତନ୍ତ୍ର ଜେଲରେ ରହୁଥିବା ବିଚାରାଧୀନ ମହିଳା କଏଦୀମାନେ ବିଭିନ୍ନ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ହଳଦୀ, ଅଟା, ବେସନ ଓ ମୁଢ଼ି ଆଦି ସାମଗ୍ରୀ ତିଆରି କରୁଛନ୍ତି। ଏହାର ବିକ୍ରି ନିମନ୍ତେ ଜେଲ ବାହାରେ କାରାଗାର ଶିଳ୍ପ ସାମଗ୍ରୀ ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଶୁକ୍ରବାର ଜେଲ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହାକୁ ଉଦ୍‌ଘାଟନ କରି କଏଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କହିଛନ୍ତି। ବଜାରରେ ମିଳୁଥିବା ସାମଗ୍ରୀଠାରୁ ଏଠାରେ ଅପେକ୍ଷାକୃତ କମ୍‌ ଦାମ୍‌ ରହିଛି। ଅପମିଶ୍ରଣର ଭୟ ମଧ୍ୟ ନାହିଁ ବୋଲି ଏଡିଜି ଉପାଧ୍ୟାୟ କହିଛନ୍ତି।

ସୁପରିଣ୍ଟେଣ୍ଡେଣ୍ଟ ରବୀନ୍ଦ୍ର ନାଥ ବାରିକ କହିଲେ, ଭବିଷ୍ୟତରେ ନୂଆ ଜେଲ ମାନୁଆଲ୍‌ ଅନୁଯାୟୀ ସାକ୍ଷାତ୍‌ ବା ମୁଲାକାତ ବ୍ୟବସ୍ଥାର ପରିବର୍ତ୍ତନ କରାଯିବ। ସାକ୍ଷାତ୍‌ ସ୍ଥାନରେ ସ୍ବଚ୍ଛ କାଚ ଲଗାଯିବ। କଥାବାର୍ତ୍ତା ପାଇଁ ୧୬ଟି ଇଣ୍ଟରକମ୍‌ ଫୋନ ବ୍ୟବସ୍ଥା ରହିବ। କାଚର ଉଭୟ ପାର୍ଶ୍ୱରେ ରହି କଏଦୀ ଓ ସେମାନଙ୍କ ଲୋକ ପରସ୍ପରକୁ ଦେଖିବା ସହ ଇଣ୍ଟରକମ୍‌ ଫୋନ୍‌ରେ କଥାହୋଇ ପାରିବେ। ଅନ୍ୟପକ୍ଷରେ ଜେଲରେ ସଜା କାଟୁଥିବା କଏଦୀଙ୍କ ଦୈନକ ମଜୁରି ପୂର୍ବରୁ ୫୦ଟଙ୍କା ଥିବାବେଳେ ଏହାକୁ ୧୦୦ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଏଥିସହ ଚଳିତ ବର୍ଷର ମାନୁଆଲ ଅନୁଯାୟୀ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହାଦ୍ୱାରା ଜେଲରେ ସଜା କାଟୁଥିବା କଏଦୀମାନେ ସ୍ବାବଲମ୍ବୀ ହେବା ସହ ବାହାରକୁ ବାହାରିଲେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନଙ୍କୁ କୌଣସି ପ୍ରତିବନ୍ଧକ ହେବ ନାହିଁ। କେବଳ ଝାରପଡା ଜେଲ ନୁହେଁ ରାଜ୍ୟରେ ଥିବା ଅନ୍ୟ ସମସ୍ତ ଜେଲରେ ଏହା କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ସେମାନଙ୍କ ଆର୍ଥତ୍କ ସ୍ବଚ୍ଛଳତା ବଢ଼ିବା ସହ ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି।

Share