ଅଫିସରେ ମହିଳା ଆର୍‌ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହିଳା ରାଜସ୍ବ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ ସୋମବାର ସକାଳେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ଆନନ୍ଦପୁର ଥାନା ଅଧୀନ ବାଙ୍ଖିଡି ଗ୍ରାମର ଗୋବିନ୍ଦ ଜେନା(୫୫)। ସେ ଏକ ମାରଣାସ୍ତ୍ରରେ ଆର୍‌ଆଇଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏନେଇ ପୋଲିସ ଏକ ମାମଲା (ନଂ. ୨୮୦/୨୧) ରୁଜୁ କରି ଗୋବିନ୍ଦଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ତାଙ୍କ ଦଖଲରେ ଥିବା ଜମିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନଁାରେ ଆର୍‌ଆଇ ସାହୁ ପଟ୍ଟା କରାଇ ଦେଇଛନ୍ତି। ଏହାକୁ ବିରୋଧ କରିଆସୁଥିବା ବେଳେ ବାରମ୍ବାର ଅଫିସ୍‌କୁ ଦୌଡୁଥିଲେ। କିନ୍ତୁ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ନ ଥିଲା। ଏହାକୁ ନେଇ ସେ ଆକ୍ରମଣ କରିଥିବା ଅଭିଯୁକ୍ତ ଗୋବିନ୍ଦ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଘଟଣାର ତଦନ୍ତ ଚାଲିଛି। କାରଣ ସ୍ପଷ୍ଟ ହୋଇନାହିଁ ବୋଲି ଥାନା ଅଧିକାରୀ ପ୍ରଧାନ କହିଛନ୍ତି। ଆନନ୍ଦପୁର ଉପଜିଲାପାଳ ଗୋପିନାଥ କୁଅଁର ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Share