Categories: ଜାତୀୟ

ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…

ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି। ଏହି ମର୍ମରେ ବିରୋଧୀ ଦଳଗୁଡ଼ିକୁ ଦୁର୍ବଳ କରିବା ଲାଗି ଛାମୁଆ ନେତାଙ୍କୁ ଦଳରେ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାର ଠିକ୍‌ ପୂର୍ବରୁ ଉତ୍ତରପ୍ରଦେଶର କଂଗ୍ରେସକୁ ଝଟ୍‌କା ଲାଗିଛି। ବାଡ଼ଡେଇଁ କଂଗ୍ରେସ ନେତା ଜିତିନ ପ୍ରସାଦ କେନ୍ଦ୍ରୀୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ୪୮ ବର୍ଷ ବୟସ୍କ ଜିତିନ ପ୍ରସାଦ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ପି.ଭି. ନରସିଂହ ରାଓଙ୍କର ରାଜନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ସେ ଭାଜପାରେ ଯୋଗଦେବା ଦ୍ୱାରା ଉତ୍ତରପ୍ରଦେଶରେ ଦଳର ଶକ୍ତି ବୃଦ୍ଧି ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭାଜପାରେ ଯୋଗଦେଇ ଜିତିନ୍‌ କହିଛନ୍ତି ଯେ, ତିନି ପିଢ଼ୀ ଧରି ଆମର ପୂର୍ବପୁରୁଷ କଂଗ୍ରେସରେ ରହି ଆସିଥିଲେ। ତେବେ ଏବେ ଗତ ୮-୧୦ ବର୍ଷ ଧରି ମୁଁ ଅନୁଭବ କରୁଛି ଦେଶର ବିକାଶ ପାଇଁ କାର୍ଯ୍ୟ କରୁଥିବା ଏକମାତ୍ର ରାଜନୈତିକ ଦଳ ହେଉଛି ଭାଜପା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଧାରା ଜାରି ରହିଛି। ଏପରିସ୍ଥଳେ ସେ ଭାଜପା ପ୍ରତି ଆକର୍ଷିତ ହୋଇଥିବା ଜିତିନ୍‌ କହିଛନ୍ତି। ଭାଜପାରେ ଜଣେ କଂଗ୍ରେସ ନେତା ସାମିଲ ହେବା ନେଇ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଏମ୍‌ପି ଅନୀଲ ବଲୁନି ବୁଧବାର ପୂର୍ବାହ୍ନ ୧୦ଟା ୪୦ରେ ଟୁଇଟ୍‌ କରି ସୂଚନା ଦେଇଥିଲେ। ତେବେ ସେ କାହାର ନାମ ସମ୍ପର୍କରେ ସୂଚନା ଦେଇ ନ ଥିଲେ। ଫଳରେ ଏନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

Share