ବଢୁଛି ସାର କଳାବଜାର,ଚିନ୍ତାରେ ଚାଷୀ

ଯାଜପୁର ରୋଡ,୨୬ା୭(ଡି.ଏନ.ଏ.):ବିଳମ୍ବିତ ମୌସୁମୀ ପ୍ରବାହ ଯୋଗୁ ଚଳିତ ଖରିଫ ଚାଷକୁ ପ୍ରଭାବିତ କରିଥିଲେ ମଧ୍ୟ ଯାଜପୁର ଜିଲାର ଚାଷୀ ଧାନ ଚାଷରୁ ଆଶା ହରାଇ ନାହାନ୍ତି । ସବୁଜ ବିପ୍ଳବ ନାମରେ ସରକାର ଯେଉଁ ରାସାୟନିକ ସାରର ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଇଥିଲେ ତାହା ଏବେ ଚାଷୀଙ୍କ ପାଇଁ କାଳ ହୋଇଛି । ଧାନ ଫସଲରେ ମାତ୍ରାଧିକ ସବୁଜିମା ଓ ଅଧିକ ଅମଳ ଆଶାରେ ଚାଷୀ ଚାଷ ଜମିରେ ବ୍ୟାପକ ଭାବ ବିଭିନ୍ନ ସାର ବ୍ୟବହାର କରୁଛନ୍ତି । ପ୍ରକୃତ ପକ୍ଷେ କହିବାକୁ ଗଲେ ଅଞ୍ଚଳର ଚାଷୀଙ୍କୁ ଏକ ପ୍ରକାର ସାର ନିଶା ଘାରିଛି । ଫଳରେ ଅଞ୍ଚଳରେ ଲାଇସେନ୍ସ ନ ଥିବା ଖୁଚୁରା ବିକ୍ରେତାମାନେ ସାରର କଳାବଜାର କରି ଚଢ଼ାଦରରେ ବିକ୍ରୀ କରୁଛନ୍ତି । ଏହିକ୍ରମରେ ଚାଷୀଙ୍କୁ ଠିକ ସମୟରେ ଚାଷ କାର୍ଯ୍ୟ ପାଇଁ ସାରର କ୍ରୁତ୍ରିମ ଅଭାବ ଦେଖା ଦେଇଛି। ତେଣୁ ଆସନ୍ତା ୭ ଦିନ ମଧ୍ୟରେ ସାର ଓ କୀଟନାଶକ ଯୋଗାଇ ନ ଦେଲେ କୋରେଇ ସଂଗ୍ରାମ ସମିତି ପକ୍ଷରୁ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ କୋରାଇ ଅଞ୍ଚଳରେ ଥିବା ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଚାଷୀମାନେ କରୁଥିବା ଖରିଫ ଫସଲ ନିମନ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଷୀମାନେ ରୁଆପୋତା କାର୍ଯ୍ୟ ସମୟରେ ଆବଶ୍ୟକତା ଥିବା ଗ୍ରୋମର, ଡିଏପି, ୟୁରିଆ, ପଟାସ ନ ମିଳିବା ଦ୍ୱାରା ଚାଷ କାମ ଅଟକି ରହିଛି। ପ୍ୟାକ୍ସଗୁଡିକ ସରକାରୀ ଦରରେ ସାର ବିକ୍ରୀ କରୁ ନ ଥିବାରୁ ଚାଷୀ କଳାବଜାରୀଙ୍କ ଦ୍ୱାରା କିଣିବାକୁ ବାଧ୍ୟ ହେଉଛନ୍ତି । ଏହିକ୍ରମରେ ୧୮ା୭ା୨୦୨୨ରେ ରାଜ୍ୟ ସମବାୟ ସମିତିର ନିବନ୍ଧକ ତାଙ୍କ ପତ୍ରସଂଖ୍ୟା ୧୦୬୮୬ରେ ରାଜ୍ୟର ସମସ୍ତ ଏଆରସିଏସ ଓ ଡିଆରସିଏସ୍‌ଙ୍କୁ ବାସ୍ତବରେ ପ୍ୟାକ୍ସଗୁଡିକରେ ସାର ବିକ୍ରୀ କରୁ ନାହାନ୍ତି ବୋଲି ଜଣାଇବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଯଦି କାର୍ଯ୍ୟକାରୀ କରା ନ ଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ପତ୍ରରେ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ ସାର କଳାବଜାରୀ ବନ୍ଦ ହୋଇନାହିଁ କିମ୍ବା ଚାଷୀ ଉପଯୁକ୍ତ ଦରରେ ଠିକ ସମୟରେ ସାର ପାଉ ନ ଥିବା ଅଭିଯୋଗ ହେଉଛି। ଏନେଇ ବ୍ୟାସନଗରସ୍ଥିତ କାର୍ଯ୍ୟାଳୟଠାରେ ସମିତିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ରବିବାର ବୈତରଣୀ ରୋଡ ଠାରେ କାର୍ଯ୍ୟକାରୀ କମିଟି ବୈଠକରେ ମଧ୍ୟ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ କୋରାଇ ଅଞ୍ଚଳର ବିଭିନ୍ନ ସମବାୟ ସମିତିର ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଜରିଆରେ ୨୫% ଫସଲ ବୀମା ଅର୍ଥ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ସମିତିର ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ଉପସଭାପତି ଆଲୋକ ମହାନ୍ତି, ସୀତାକାନ୍ତ କୁଅଁର, ସମ୍ପାଦକ ପଦ୍ମନାଭ ନାୟକ, ସହ-ସମ୍ପାଦକ ମନୋରଞ୍ଜନ ନାୟକ, ପଦାରବିନ୍ଦ ଜେନାଙ୍କ ସମେତ ପ୍ରମୋଦ କୁମାର ପାତ୍ର, ଦିପ୍ତୀମୟୀ କୁଅଁର, ପ୍ରହଲ୍ଲାଦ ଦେଓ, ବିଦ୍ୟାଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share