ସାର ସଙ୍କଟ, କୃଷି ଅଧିକାରୀଙ୍କୁ ଚାଷୀଙ୍କ ଫେରାଦ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାର ସଙ୍କଟ ଦେଖା ଦେଇଛି। ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସୋମବାର ବରଗଡ଼ ବ୍ଲକ ଗାଇସୀମା ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମର ମିଶ୍ରଙ୍କୁ ଫେରାଦ ହୋଇଥିଲେ। ପ୍ରକାଶ ଯେ, ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା କାରଣରୁ ଚାଷୀଙ୍କ ଚାଷ କାର୍ଯ୍ୟ ପଛେଇ ଯାଇଛି। ଜୁଲାଇ ମାସ ଶେଷ ଆଡକୁ ଭଲ ବର୍ଷା ହୋଇଥିବା କାରଣରୁ ବର୍ତ୍ତମାନ ସୁଦ୍ଧା ରୁଆ ବିହୁଡା କାମ ସରି ନାହିଁ। ରୁଆ ବିହୁଡା କାଦୁଅ ସମୟରେ ଦାନାଦାର ସାର ଦରକାର ପଡିଥାଏ ।କିନ୍ତୁ ଚଳିତ ବର୍ଷ ଅନେକ ଚାଷୀମାନେ କାଦୁଅରେ ଦାନାଦାର ସାର ଦେଇ ନାହାଁନ୍ତି। ସେଥିପାଇଁ ବର୍ତ୍ତମାନ ସାର ସଙ୍କଟ ଦେଖିବାକୁ ମିଳୁଛି। ସାର ସହିତ ନାନୋ ସାର ବାଧ୍ୟତାମୂଳକ ଭାବେ ଦିଆଯାଉଥିବାରୁ ଚାଷୀମାନେ ନେବା ପାଇଁ ରାଜି ହେଉନାହାଁନ୍ତି। ବରଗଡ଼ ଜିଲାରେ ଡିଏପି ସାର ୧୩୫୦ ଟଙ୍କା ମୂଲ୍ୟ ଥିବା ସ୍ଥଳେ ୧୫୦୦ରୁ ୧୬୦୦ ଟଙ୍କାରେ ଖୋଳାବଜାରରେ ବିକ୍ରି ହେଉଛି। ଯଦି ଚାଷୀମାନେ ସରକାରୀ ମୂଲ୍ୟରେ ସାର ଦେବା ପାଇଁ ଦାବି କଲେ ଡିଲରମାନେ ସାର ନ ଥିବା କହୁଛନ୍ତି। ସେଥିପାଇଁ ବରଗଡ଼ ବ୍ଲକ ଗାଇସିମାର ଚାଷୀମାନେ ଜିଲା କୃଷି କାର୍ଯ୍ୟାଳୟ ଆସି ସାର ଦେବା ପାଇଁ ଦାବି କରିଥିଲେ। ପରେ ପ୍ରଶାସନ ତରଫରୁ କୃଷି ଅଧିକାରୀ ବିରେନ୍ଦ୍ର ଛୁରିଆ ଚାଷୀଙ୍କ ସମସ୍ୟା ବୁଝି ମଙ୍ଗଳବାର ସୁଦ୍ଧା ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି, ନିରଞ୍ଜନ ପଧାନଙ୍କ ସମେତ ଗାଇସିମାର ଚାଷୀ ଧନପତି ସାହୁ, ପ୍ରକାଶ ସାହୁ, ଟଙ୍କଧର ଥପା, ନାରାୟଣ ରାଣ ଏବଂ ରୁପେଶ ପଧାନ ନେତୃତ୍ୱ ନେଇଥିଲେ। ମଙ୍ଗଳବାର ସୁଦ୍ଧା ସାର ନ ମିଳିଲେ ଆନ୍ଦୋଳନ କରିବା ପାଇଁ ସଂଗଠନ ତରଫରୁ ଚେତାବନୀ ଦେଇଛନ୍ତି।

Share