ଘରେ ଘରେ ଲୋକଙ୍କୁ ଜ୍ୱର

ଖଣ୍ଡପଡା,୧୭ା୧୦(ଅଜୟ କୁମାର ମହାରଣା): ଖଣ୍ଡପଡା ବ୍ଲକ ଅଞ୍ଚଳରେ ଜ୍ୱରରେ ଶତାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଘରେ ୨ରୁ ୩ଜଣ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଥିବାରୁ ଏହାର ସୁଯୋଗ ନେଇ ଗଁା ଗଣ୍ଡାରେ କ୍ୱାକ୍‌ଙ୍କ ପ୍ରାର୍ଦୁଭାବ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଖଣ୍ଡପଡ଼ା ବ୍ଲକ ଅଧୀନ ଅପହଞ୍ଚ ଇଲାକା, ବଣ ପାହାଡ ଘେରା ସଂରକ୍ଷିତ ଜଙ୍ଗଲ ଜମିରେ ବସବାସ କରୁଥିବା ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଆଳରେ କ୍ୱାକମାନେ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଜଣେ ଜଣେ ବ୍ୟକ୍ତି ୩ରୁ ୪ ଦିନ ଧରି ଔଷଧ ସେବନ କରିବା ପରେ ଜ୍ୱର ରୋଗ ଭଲ ହେଉଥିବାରୁ କ୍ୱାକ୍‌ମାନେ ଏଥିରୁ ଫାଇଦା ଉଠାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ସବୁ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବାର ସେଭଳି ସୁବିଧା ନ ଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଆୟୁର୍ବେଦିକ ଚିକିତ୍ସାଳୟଗୁଡିକରେ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହେଉଛି। କ୍ୱାକମାନଙ୍କ କାର୍ଯ୍ୟାକଳାପ ପ୍ରତି ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Share