Categories: ଜାତୀୟ

ନ୍ୟାୟ ପାଇଁ କମ୍‌ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି, ବହୁ ଲୋକ ନୀରବରେ ପୀଡ଼ା ସହନ୍ତି…

ନୂଆଦିଲ୍ଲୀ, ୩୦।୭ : ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ ଆମର ପ୍ରକୃତ ଶକ୍ତି ଯୁବପିଢ଼ିଙ୍କ ମଧ୍ୟରେ ରହିଛି। ପୃଥିବୀରେ ଥିବା ମୋଟ ଯୁବବର୍ଗଙ୍କ ମଧ୍ୟରୁ ଏକ ପଞ୍ଚମାଂଶ ଭାରତରେ ବାସ କରନ୍ତି। କିନ୍ତୁ କୁଶଳୀ ଶ୍ରମିକମାନେ ଆମର ଶ୍ରମଶକ୍ତିର ମାତ୍ର ତିନି ପ୍ରତିଶତ। ସେ କହିଛନ୍ତି ଯେ ଆମ ଦେଶର ଯୁବବର୍ଗଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ସେଏହା ମଧ୍ୟ କହିଛନ୍ତି ଯେ ଦେଶର ଜନସଂଖ୍ୟାର କେବଳ ଅଳ୍ପ ଅଂଶ ବିଭିନ୍ନ ସମସ୍ୟା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି। କିନ୍ତୁ ଅଧିକାଂଶ ଲୋକ ନୀରବ ରହି ପୀଡ଼ା ସହିଥାନ୍ତି।

ସଚେତନତା ଏବଂ ଆବଶ୍ୟକ ଉପାୟ ଅଭାବରୁ ସେମାନେ କୋର୍ଟରେ ପହଞ୍ଚି ପାରି ନଥାନ୍ତି ବୋଲି ରମନା କହିଛନ୍ତି। ସର୍ବ ଭାରତୀୟ ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀରେ ଯୋଗଦେଇ ସେ ଏଭଳି କହିଛନ୍ତି। ସେ କହିଛନ୍ତି ଯେ ଅଧିକାଂଶ ଲୋକ ନ୍ୟାୟିକ ବ୍ୟବସ୍ଥା ନିକଟରେ ପହଞ୍ଚନ୍ତି ନାହିଁ।

ନ୍ୟାୟ ପାଇବା ହେଉଛି ସାମାଜିକ ମୁକ୍ତିର ଏକ ମାଧ୍ୟମ। ଯଦି ଆଜି ଆମେ ନ୍ୟାୟ ସହ ଲୋକଙ୍କ ଦ୍ୱାର ଦେଶରେ ପହଞ୍ଚିବାରେ ସକ୍ଷମ ହୋଇଛୁ, ତେବେ ଆମକୁ ଯୋଗ୍ୟ ବିଚାରପତି, ଉତ୍କୃଷ୍ଟ ଆଇନଜୀବୀ ତଥା ସରକାରଙ୍କୁ ଧନ୍ୟବାଦ ଦେବାକୁ ପଡିବ।

ସେ କହିଛନ୍ତି ଯେ ଦେଶର ଅଧିକାଂଶ ଲୋକଙ୍କ ପାଇଁ ଜିଲା ନ୍ୟାୟିକ ଅଧିକାରୀମାନେ କୋର୍ଟଙ୍କ ସହ ଯୋଗାଯୋଗର ପ୍ରଥମ ମାଧ୍ୟମ। ନ୍ୟାୟପାଳିକା ବିଷୟରେ ଜନମତ ଜିଲା କୋର୍ଟ ସହିତ ସେମାନଙ୍କ ଅଭିଜ୍ଞତା ଉପରେ ଆଧାରିତ, ତେଣୁ ଜିଲା କୋର୍ଟକୁ ମଜବୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share