Categories: ବାଣିଜ୍ୟ

ଏଫ୍‌ଏଫ୍‌ଆଇ ସ୍ମାରକୀ ପତାକା ଉତ୍ସର୍ଗ

ଭୁବନେଶ୍ୱର,୨୦।୪: ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଆଇ) ପକ୍ଷରୁ ଆଉ ଏକ ସ୍ମାରକୀ ପତାକା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ବିଶେଷକରି ବିହୁ ଅବସରରେ ଏଫ୍‌ଏଫ୍‌ଆଇ ପକ୍ଷରୁ ଗୁଆହାଟୀର ନାରଙ୍ଗି ମିଲିଟାରି ଷ୍ଟେଶନଠାରେ ଏକ ବୃହତ୍‌ ସ୍ମାରକୀ ପତାକା ସ୍ଥାପନ କରାଯାଇଛି। ଏହି ଅବସରରେ ପୂର୍ବାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆର୍‌. ପି. କଲିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଉଲ୍ଲେଖଯୋଗ୍ୟ, ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଫ୍ଲାଗ୍‌ ଫାଉଣ୍ଡେଶନ ସମଗ୍ର ଦେଶରେ ସ୍ମାରକୀ ପତାକା ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ସୂଚନାଯୋଗ୍ୟ, ୨୦୦୪ରେ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ନବୀନ ଲୋକ ସଭାରେ ନବ ନିର୍ବାଚିତ ସାଂସଦ ଭାବେ ଯୋଗଦେବା ପରେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଗୃହର ୩୪୯ (XIV) ନିୟମ ଅନୁଯାୟୀ ସଂସଦର ଜଣେ ସଦସ୍ୟ ତିରଙ୍ଗା ପିନ୍ଧିପାରିବେ ନାହିଁ। ଏପରିକି ଜାତୀୟ ପତାକା ପିନ୍ଧିବାର ଅନୁମତି ପାଇଁ ଅଧ୍ୟକ୍ଷଙ୍କୁ ସେ ଅନୁରୋଧ କରିଥିଲେ ଏବଂ ସଂସଦରେ ସଂକଳ୍ପ ପାରିତ ମଧ୍ୟ କରିଥିଲେ। ନବୀନଙ୍କ ନେତୃତ୍ୱରେ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ ୨୦୦୯ରେ ଆରମ୍ଭ ହୋଇଥିଲା। ଏପରିକି ଫାଉଣ୍ଡେଶନ ୨୦୦୯ଠାରୁ ଭାରତରେ ସ୍ମାରକୀ ପତାକା ଲଗାଇବା ଆରମ୍ଭ କରିଥିଲା। ସେହିଦିନଠାରୁ ଫାଉଣ୍ଡେଶନ ସାରା ଦେଶରେ ୧୦୦ରୁ ଅଧିକ ସ୍ମାରକୀ ପତାକା ସ୍ଥାପନ କରିସାରିଛି।

Share