ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବୁଲି ଆସୁଥିବା ପର୍ଯ୍ୟଟକ ଏବେ ଏକାଧିକ ପର୍ଯ୍ୟଟନକ୍ଷେତ୍ରର ଅବ୍ୟବସ୍ଥାକୁ ଦେଖି ନାକ ଟେକିବା ଆରମ୍ଭ କରିଛନ୍ତି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ରହିଛି, ଯାହା ଏକ ଦଶନ୍ଧି ପୂର୍ବରୁ ଏହାର ଶୁଭାରମ୍ଭ କରାଯାଇଥିଲା।
ପ୍ରକାଶ ଯେ, ବାଲିଗୁଡ଼ା ଉପବନଖଣ୍ଡ ଅଧୀନ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧୀନରେ ଗତ ୨୦୧୫ ଆର୍ଥିକ ବର୍ଷରେ ନିର୍ମାଣ କରାଯାଇଥିଲା ନେଚର ପାର୍କ। ଉକ୍ତ ପାର୍କ ମଧ୍ୟରେ ଔଷଧୀୟ ବୃକ୍ଷ ସମେତ ଆୟୁର୍ବେଦିକର ସ୍ରଷ୍ଟା ଚରକ ମୁନିଋଷିଙ୍କ ପଥର ମୂର୍ତ୍ତି, ଫାଇବରରେ କିଛି ଜନଜାତିଙ୍କ ପାରମ୍ପରିକ ଚଳଣି, ଚାଳ ଛପର ଘର, କୁଟିଆ କନ୍ଧଙ୍କ ବିଭିନ୍ନ ପୂଜା, ବଳି ପୂଜା ଚିତ୍ର ସେଠାରେ ଦେଖିବାକୁ ମିଳୁଛି।
ପ୍ରଜାପତି ଉଦ୍ୟାନ ସହ ଜଳ ଫୁଆରା କରାଯାଇଛି। ଲକ୍ଷାଧିକ ଟଙ୍କା ବିନିମୟରେ ସେହି ସମୟରେ ଉକ୍ତ ପାର୍କଟି କରାଯାଇଥିବା ବେଳେ ଉକ୍ତ ପାର୍କର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ପାର୍କଟି ଉଜୁଡିବାକୁ ବସିଲାଣି। ଜଳଫୁଆରା ଶୁଖି ଆଉ ପର୍ଯ୍ୟଟକଙ୍କୁ ସେହି ଜଳଫୁଆରା ଆକୃଷ୍ଟ କରୁନି। ସେହିପରି ଫାଇବର ମୂର୍ତ୍ତିଗୁଡିକ ମଣିଷ ମୂର୍ତ୍ତିର ବିଭିନ୍ନ ଅଙ୍ଗ ଭାଙ୍ଗିରୁଜି ଗଲାଣି। ଫଳରେ ପର୍ଯ୍ୟଟକ ଟିକେଟ ଦେଇ ଭିତରକୁ ପ୍ରବେଶ କରିବା ପରେ ପାର୍କର ସ୍ଥିତି ଦେଖି ଅସନ୍ତୋଷ ହେଉଛନ୍ତି। ଏବେ ପାର୍କ ଭିତରେ ଆଲୋକ ବ୍ୟବସ୍ଥା ସବୁ ନଷ୍ଟ ହୋଇଯାଇଛି। ଆଉ ପ୍ରଜାପତି ଉଡୁ ନ ଥିବା କି ତାଙ୍କ ପସନ୍ଦର ଫୁଲ ଗଛ ନଥିବାରୁ ପ୍ରଜାପତି ପାର୍କକୁ ପ୍ରଜାପତି ଆସୁନାହିଁ। ପ୍ରତିବର୍ଷ ଏହି ପାର୍କକୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଏହି ପାର୍କରେ ଅନ୍ୟ ପାର୍କ ଭଳି ଲକ୍ଷାଧିକ ଟଙ୍କା ରୋଜଗାର ଅଛି। କିନ୍ତୁ ସେହି କ୍ରମରେ ପାର୍କର ପୁନଃରୁଦ୍ଧାର ହୋଇପାରୁ ନ ଥିବା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।