ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ଅଗ୍ନୀକାଣ୍ଡ, ୧୪ ମୃତ, ୧୮ ଗୁରୁତର

ବାଗଦାଦ,୯।୧୨: ଇରାକର ଉତ୍ତର ସହର ଏରବିଲର ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର (8 ଡିସେମ୍ବର) ସାରେ ଘଟିଛି। ସୋରାନର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ କାମରାମ ମୁଲ୍ଲା ମହମ୍ମଦଙ୍କ ଅନୁଯାୟୀ, ଏରବିଲର ପୂର୍ବରେ ଥିବା ଏକ ଛୋଟ ସହର ସୋରାନରେ ଥିବା ଏକ କୋଠା (ହଷ୍ଟେଲ) ରେ ନିଆଁ ଲାଗିଯାଇଥିଲା। ମୃତକଙ୍କ ସଂଖ୍ୟାକୁ ସରକାରୀ ଗଣମାଧ୍ୟମ ନିଶ୍ଚିତ କରିଛି।
ସ୍ଥାନୀୟ ନ୍ୟୁଜ ଏଜେନ୍ସି ରୁଦାଓ ରିପୋର୍ଟ କରିଛି ଯେ ଶୁକ୍ରବାର ରାତି ସୁଦ୍ଧା ନିଆଁ ଲିଭାଯାଇଛି। ରୁଦାଓଙ୍କ ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଇଛି। ଏହି ଅଞ୍ଚଳ କୁର୍ଦ୍ଦିସ୍ତାନ ପ୍ରଦେଶରେ ଆସିଥାଏ। ଏହି ଘଟଣା ସମ୍ପର୍କରେ କୁର୍ଦ୍ଦିସ୍ତାନ ପ୍ରଧାନମନ୍ତ୍ରୀ ମସରୌର ବରଜାନି ଏକ ତଦନ୍ତ କମିଟି ଗଠନ କରିଛନ୍ତି।

ସୂଚନାଯୋଗ୍ୟ, ଇରାକରେ ବିଲ୍ଡିଂରେ ନିଆଁ ଭଳି ଘଟଣା ବାରମ୍ବାର ଘଟେ। ସୁରକ୍ଷା ନିୟମକୁ ଅବମାନନା କରି ସେଠାରେ ନିର୍ମାଣ କାର୍ଯ୍ୟ ପ୍ରାୟତଃ କରାଯାଏ। ଏହା ବ୍ୟତୀତ ପରିବହନ କ୍ଷେତ୍ରରେ ମଧ୍ୟ ଅନେକ ଅସାବଧାନତା ଦେଖାଦେଇଛି। ଇରାକରେ ସରକାରୀ ବ୍ୟବସ୍ଥାର ମୌଳିକ ଗଠନ କ୍ରମାଗତ ଭାବେ ଭୁଶୁଡି ପଡୁଛି। ଦଶନ୍ଧି ଧରି ଦେଶ ଦୁର୍ନୀତିରେ ପୀଡିତ ଥିଲା। ଯାହାର ପରିଣାମ ଦେଶବାସୀଙ୍କୁ ଭୋଗିବାକୁ ପଡୁଛି।

Share