ପାକିସ୍ତାନରେ ବନ୍ୟା ବିତ୍ପାତ: ଭାରତକୁ ଦାୟୀ କଲେ ପାକିସ୍ତାନ ନାଗରିକ

ଇସଲାମବାଦ,୧୨।୭: ସାରା ବିଶ୍ୱରେ ଏବେ ଲଗାଣ ବର୍ଷା ଯୋଗୁ ଜଳ ପ୍ରଳୟ ଦେଖାଯାଇଛି। କେବଳ ବର୍ଷା, ବନ୍ୟା କି ଭୂସ୍ଖଳନ ନୁହେଁ ସ୍ଥାନେ ସ୍ଥାନେ ମରୁଡି ସମସ୍ୟା ମଧ୍ୟ ଉପୁଜିଛି। ପ୍ରକୃତିର ଏହି କରାଳ ରୂପରେ ସାରା ବିଶ୍ୱ ଆତଙ୍କିତ ହୋଇ ପଡିଛି। ଏହି କ୍ରମରେ ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୭୬ଜଣ ପ୍ରାଣ ହରାଇଛନ୍ତି।
ତେବେ ପାକିସ୍ତାନରେ ବନ୍ୟା ପରିସ୍ଥିତି ଉପରେ ଜଣେ ପାକିସ୍ତାନୀ ୟୁଟ୍ୟୁବରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୟୁଟ୍ୟୁବର୍‌ ଜଣକ ସେଠାରେ ଥିବା ଲୋକଙ୍କ ସହ ବନ୍ୟା ପରିସ୍ଥିତି ବିଷୟରେ କଥା ହୋଇଥିଲେ, ସେଠାରେ ଥିବା ଲୋକମାନେ ବନ୍ୟା ପାଇଁ ଭାରତକୁ ଦାୟୀ କରିଥିଲେ।

ସୂଚନାଯୋଗ୍ୟ, ଭାଇରାଲ ଭିଡିଓରେ ପାକିସ୍ତାନୀ ଜନସାଧାରଣ କହିଛନ୍ତି ଯେ, ଭାରତ ସବୁବେଳେ ପାକିସ୍ତାନ ସହିତ ଶତ୍ରୁତା କରୁଛି। ଯେତେବେଳେ ପାଣି ଆବଶ୍ୟକ ଥାଏ, ଭାରତ ନଦୀର ଜଳକୁ ଛାଡି ନ ଥାଏ। ଏବେ ଯେତେବେଳେ ଆଦୌ ଜଳର ଆବଶ୍ୟକତା ନାହିଁ ସେତେବେଳେ ପାକିସ୍ତାନକୁ ଜଳ ଛାଡୁଛି।
ଅନ୍ୟପଟେ ପାକିସ୍ତାନୀ ୟୁଟ୍ୟୁବର୍‌ ଶୋଏବ ମଲିକ ଜଣେ ବୃଦ୍ଧଙ୍କୁ ଏ ବିଷୟରେ ପଚାରିଥିଲେ। ଏଥିରେ ବୃଦ୍ଧ ଜଣକ କହିଥିଲେ, ଜଳ ପିଷ୍କାସନ କରିବ ନା ନାହିଁ ତାହା ଭାରତର ଇଚ୍ଛା। କିନ୍ତୁ ପାକିସ୍ତାନ ସରକାରଙ୍କ ଦୋଷ ରହିଛି ଯିଏକି ସବୁ କ୍ଷେତ୍ରରେ ଭାରତକୁ ଦାୟୀ କରୁଛି। ପାକିସ୍ତାନରେ ଡ୍ୟାମ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରାଯାଇଥିଲା। କିନ୍ତୁ କୌଣସି କାମ କରାଯାଇ ନ ଥିଲା। ଡ୍ୟାମ ନିର୍ମାଣ ନ ହେବା ପର୍ଯ୍ୟନ୍ତ ପାକିସ୍ତାନ ବନ୍ୟା ସମସ୍ୟାରୁ ମୁକୁଳି ପାରିବ ନାହିଁ ବୋଲି ବୃଦ୍ଧ ଜଣକ କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଭାରତ ଅତି କମରେ ୧ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ନିଷ୍କାସନ କରିଛି। ଏହା ପରେ ପାକିସ୍ତାନୀ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ବନ୍ୟା ପରିସ୍ଥିତି ପାଇଁ ରେଡ୍‌ ଆଲର୍ଟ ଜାରି କରିଥିଲା ଗତ ବର୍ଷର ବନ୍ୟାରେ ପ୍ରାୟ ୧୭୦୦ଲୋକ ପ୍ରାଣ ହରାଇଥିଲେ। ୧୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଥିଲେ।

Share