Categories: ଖେଳ

ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଲା ଫିଫା

ଜେନେଭା, ୩୧ା୧୦: ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ (ଫିଫା) ସୋମବାର ସ୍ପେନ ଫୁଟ୍‌ବଲ ମହାସଂଘର ପୂର୍ବତନ ସଭାପତି ଲୁଇସ ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କରିଛି। ମହିଳା ବିଶ୍ୱକପ୍‌ ଫାଇନାଲ ପରେ ଟ୍ରଫି ପ୍ରଦାନ ଉତ୍ସବ ବେଳେ ସେ ଜଣେ ଖେଳାଳିଙ୍କ ଓଠକୁ ବଳପୂର୍ବକ ଚୁମ୍ବନ କରିଥିଲେ। ଫିଫାର ଶୃଙ୍ଖଳା କମିଟି ଏହି ଘଟଣାର ତଦନ୍ତ କରିଥିଲେ। କମିଟି ଦେଇଥିବା ରାୟର ବିଶଦ ବିବରଣୀ ଫିଫା ପ୍ରକାଶ କରି ନାହିଁ। ରୁବେଲ୍ସଙ୍କ ବିରୋଧରେ ସ୍ପେନରେ ମଧ୍ୟ ଏକ ଅପରାଧିକ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଅଗଷ୍ଟ ୨୦ରେ ଇଂଲଣ୍ଡ ବିପକ୍ଷରେ ସ୍ପେନର ୧-୦ ଗୋଲ୍‌ରେ ବିଜୟ ପରେ ଉଲ୍ଲସିତ ହୋଇ ଜେନ୍ନି ହର୍ମୋସୋ ନାମ୍ନି ଖେଳାଳିଙ୍କୁ ଚୁମ୍ବନ କରିଥିଲେ। ସେତେବେଳେ ଏହି ଘଟଣା ନିକଟରେ ସ୍ପେନ ରାଣୀ ଲିଟିଜା ଏବଂ ୧୬ ବର୍ଷୀୟା ଯୁବରାଣୀ ଛିଡା ହୋଇଥିଲେ। ତଦନ୍ତ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କାରେ ଫିଫାର ଜଜ୍‌ମାନେ ରୁବେଲ୍ସଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରିଥିଲେ। ସ୍ପେନ ଫୁଟ୍‌ବଲ ମହାସଂଘର ପୂର୍ବତନ ସଭାପତିଙ୍କ ବିରୋଧରେ ଅନ୍ୟ ଜଣେ ଖେଳାଳି ଆଥେନେଆ ଡେଲ୍‌ କାଷ୍ଟିଲୋ ମଧ୍ୟ ଏକ ଅଭିଯୋଗ ଆଣିଥିଲେ। ମ୍ୟାଚ ପରେ ବିଜୟ ହର୍ଷ ଉଲ୍ଲାସ ଚାଲିଥିବା ବେଳେ ରୁବେଲ୍ସ ତାଙ୍କୁ କାନ୍ଧରେ ପକାଇ ନେଇଥିଲେ। ସ୍ପାନିଶ ସରକାର ଏବଂ ଜାତୀୟ ଦଳର ଖେଳାଳିଙ୍କ ଚାପର ବଶବର୍ତ୍ତୀ ହୋଇ ରୁବେଲ୍ସ ସେପ୍ଟେମ୍ବରରେ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

Share