Categories: ଖେଳ

ଫିଫା ବିଶ୍ୱକପ୍‌: ଆଜି ଆର୍ଜେଣ୍ଟିନା-ଫ୍ରାନ୍ସ ଟାଇଟଲ ଟକ୍କର

ଦୋହା, ୧୮।୧୨: ଚଳିତ ଫିଫା ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟାଇଟଲ ଲଢ଼େଇରେ ପରସ୍ପରର ସମ୍ମୁଖୀନ ହେବେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଓ ଗତଥରର ଚାମ୍ପିୟନ ଫ୍ରାନ୍ସ। ଫ୍ରାନ୍ସ ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ କ୍ୟାରିୟରର ସାୟାହ୍ନରେ ପହଞ୍ଚତ୍ଥିବା ମେସି ନିଜ ସ୍ବପ୍ନ ସାକାର କରିବା ଆଶାରେ ରହିଛନ୍ତି। ସେମିଫାଇନାଲରେ ଆର୍ଜେଣ୍ଟିନା ୩-୦ ଗୋଲରେ କ୍ରୋଏସିଆକୁ ହରାଇଥିବାବେଳେ ଫ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ମାତ୍‌ ଦେଇ ଫାଇନାଲରେ ପହଞ୍ଚତ୍ଛି। ଉଭୟ ଦଳ ୨ ଥର ଲେଖାଏ ବିଶ୍ୱକପ୍‌ ଜିତି ସାରିଥିବାରୁ ତୃତୀୟ ଟାଇଟଲ ଆଶାରେ ରହିଛନ୍ତି। ତେଣୁ ଲୁସେଲ ଷ୍ଟାଡିୟମରେ କଡ଼ା ଟକ୍କର ଅପେକ୍ଷାରେ ରହିଛନ୍ତି ଫୁଟବଲ ପ୍ରଶଂସକ।

ରେକର୍ଡ: ଆର୍ଜେଣ୍ଟିନା ୬, ଫ୍ରାନ୍ସ ୩ ଉଭୟ ଦେଶ ମଧ୍ୟରେ ଏହା ହେବ ୧୩ତମ ବିଶ୍ୱକପ ମୁକାବିଲା। ପୂର୍ବରୁ ହୋଇଥିବା ୧୨ ମ୍ୟାଚ ମଧ୍ୟରୁ ଆର୍ଜେଣ୍ଟିନା ୬ଟିରେ ବିଜୟ ହାସଲ କରି ଆଗରେ ରହିଛି। ଫ୍ରାନ୍ସ ୩ ମ୍ୟାଚ ଜିତିଥିବାବେଳେ ଅନ୍ୟ ୩ଟି ମ୍ୟାଚ ଡ୍ର ରହିଛି। ପ୍ରଥମଥର ପାଇଁ ୧୯୩୦ (ଉରୁଗୁଏ) ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ। ସେତେବେଳେ ଆର୍ଜେଣ୍ଟିନା ୧-୦ ଗୋଲରେ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ଲୁଇସ ମୋଣ୍ଟି ୮୧ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ତେବେ ଶେଷ ଥର ପାଇଁ ରୁଷିଆ (୨୦୧୮) ବିଶ୍ୱକପର ରାଉଣ୍ଡ ଅଫ୍‌ ୧୬ରେ ହୋଇଥିବା ମୁକାବିଲାରେ ଫ୍ରାନ୍ସ ୪-୩ ଗୋଲରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଫ୍ରାନ୍ସ ପକ୍ଷରୁ ଆଣ୍ଟୋନି ଗ୍ରିଜ୍‌ମାନ, ବେଞ୍ଜାମିନ୍‌ ପାଭାର୍ଡ ଗୋଟିଏ ଲେଖାଏ ଏବଂ କିଲିଆନ ଏମ୍‌ବାପେ ୨ଟି ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଆଞ୍ଜେଲ ଡି’ ମାରିଆ ଓ ଗାବ୍ରିଏଲ ମେର୍କାଡୋ ଗୋଲ ସ୍କୋର କରିଥିଲେ।

ଦୁର୍ବଳ ଦଳ ନିକଟରୁ ହାରିଛନ୍ତି
ଫାଇନାଲରେ ପ୍ରବେଶ ପଥରେ ଉଭୟ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଗୋଟିଏ ଲେଖାଏ ଗ୍ରୁପ୍‌ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଦଳ ନିକଟରୁ ପରାଜିତ ହୋଇଛନ୍ତି। ତେବେ ଏହା ସେମାନଙ୍କୁ ନିଜ ନିଜ ଗ୍ରୁପ୍‌ ଚାମ୍ପିୟନ ହେବାରେ ରୋକି ପାରିନାହିଁ। ଗ୍ରୁପ୍‌ ‘ସି’ରେ ଆର୍ଜେଣ୍ଟିନା ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ୧-୨ ଗୋଲରେ ହାରି ଅତ୍ୟନ୍ତ ନିରାଶର ସହ ଅଭିଯାନ ଆରମ୍ଭ କରିଥିଲା। ମାତ୍ର ପରବର୍ତ୍ତୀ ମ୍ୟାଚରେ ମେକ୍ସିକୋକୁ ୨-୦ ଗୋଲରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଲିଗ୍‌ରେ ପୋଲାଣ୍ଡକୁ ୨-୦ ଗୋଲରେ ହରାଇ ଦଳ କେବଳ ନକ୍‌ଆଉଟରେ ପ୍ରବେଶ କରି ନ ଥିଲା ଗ୍ରୁପ୍‌ ଚାମ୍ପିୟନ ମଧ୍ୟ ହୋଇଥିଲା। ରାଉଣ୍ଡ ଅଫ୍‌ ୧୬ରେ ଅଷ୍ଟ୍ରେଲିଆକୁ ୨-୧, ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସକୁ ପେନାଲ୍ଟି ଶୁଟ୍‌ଆଉଟ ୪-୩ ଏବଂ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲରେ ହରାଇ ଦଳ ମେଗା ଫାଇନାଲରେ ପ୍ରବେଶ କରିଛି। ସେହିପରି ଗ୍ରୁପ୍‌ ‘ଡି’ରେ ଅଷ୍ଟ୍ରେଲିଆକୁ ୪-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସ ଦ୍ୱିତୀୟ ମ୍ୟାଚରେ ଡେନ୍‌ମାର୍କକୁ ୨-୧ ଗୋଲରେ ପରାସ୍ତ କରି ନକ୍‌ଆଉଟ ପ୍ରବେଶ ପକ୍କା କରିଥିଲା। ତେବେ ଶେଷ ଲିଗ୍‌ରେ ଦଳ ଅପ୍ରତ୍ୟାଶିତଭାବେ ଦୁର୍ବଳ ଟ୍ୟୁନିସିଆ ନିକଟରୁ ୦-୧ ଗୋଲରେ ହାରି ଯାଇଥିଲା। ରାଉଣ୍ଡ ଅଫ୍‌ ୧୬ରେ କିନ୍ତୁ ଏହି ଦଳ ପୋଲାଣ୍ଡକୁ ୩-୧, କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ୨-୧ ଓ ସେମିଫାନାଲରେ ମରକ୍କୋକୁ ୨-୦ ଗୋଲରେ ହରାଇ ଫାଇନାଲ ଟିକେଟ ପାଇଥିଲା।

Share