Advertisement
Categories: କୋରାପୁଟ

୧୫ ହିତାଧିକାରୀଙ୍କୁ ମିଳିଲା ୭ ମାସର ଭତ୍ତା

ଦଶମନ୍ତପୁର, ୧୦।୭ ( ଡି.ଏନ୍‌.ଏ. ): ୭ ମାସ ହେଲାଣି ୧୫ ଜଣ ହିତାଧିକାରୀଙ୍କୁ ମିଳୁ ନ ଥିଲା ଭତ୍ତା। ଏନେଇ ସେମାନେ ପଞ୍ଚାୟତ ଓ ବ୍ୟାଙ୍କ ବୁଲି ବୁଲି ନୟାନ୍ତ ହୋଇଥିଲେ। ଯାହାକୁ କହିଲେ କେହି ଶୁଣୁ ନ ଥିଲେ। ଶେଷରେ ପ୍ରବଳ ବର୍ଷାରେ ଗତ ୪ ତାରିଖରେ ହଳଦୀସିଲ ଗ୍ରାମ ଆଦିବାସୀ ସାହିର ଲିମଦାସ ମୁଦୁଲି, ପାକୁଲୁ ମୁଦୁଲି, ଲିମ ମୁଦୁଲି, କମୁଲୁ ମୁଦୁଲି, ବିରିମଲି ମୁଦୁଲି, ନାଳି ମୁଦୁଲି, ପଦ ମୁଦୁଲି, ଫୁଲମତୀ ମୁଦୁଲି, ସାଲମା ମୁଦୁଲି, ହୀରାମଣୀ ମୁଦୁଲି, ଦଇମତି ମୁଦୁଲି, ଗୁଞ୍ଜଲି ମୁଦୁଲି, ଜେଟି ମୁଦୁଲି, ଦସମା ମୁଦୁଲି, ମଙ୍ଗଲି ମୁଦୁଲି ପ୍ରମୁଖ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଧରିତ୍ରୀରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ନେଇ ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ସଙ୍ଗେ ସଙ୍ଗେ ଅତିରିକ୍ତ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଗୌତମ ଖୋସ୍‌ଲା ହଳଦୀସିଲ ଗ୍ରାମରେ ପହଞ୍ଚତ୍ ୧୫ ଜଣ ହିତାଧିକାରୀଙ୍କୁ ସେମାନଙ୍କୁ ୭ମାସର ଭତ୍ତା ଟଙ୍କା ପ୍ରଦାନ କରିଥିଲେ। ଏ ବାବଦରେ ମୋଟ ୩୭,୬୦୦ ଟଙ୍କା ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ତେବେ ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ହିତାଧିକାରୀଙ୍କୁ ସେମାନଙ୍କ ବକେୟା ଥିବା ଭତ୍ତା ବଣ୍ଟନ କରାଯିବ ବୋଲି ଅତିରିକ୍ତ ବ୍ଲକ ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel