Categories: ଜାତୀୟ

ଟର୍ବୁଲାନ୍ସରୁ ସ୍ପାଇସ୍‌ଜେଟ୍‌ର ୧୫ ଯାତ୍ରୀ ଆହତ

ନୂଆଦିଲ୍ଲୀ,୩।୫: ବଡ଼ ଧରଣର ଏୟାର ଟର୍ବୁଲାନ୍ସ ଯୋଗୁ ରବିବାର ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନର ୧୨ ଯାତ୍ରୀ ଓ ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଦୁଇଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତଦନ୍ତ ପୂର୍ବରୁ ଉକ୍ତ ବିମାନକୁ ଦୁର୍ଗାପୁରରୁ କୋଲକାତା ଯିବା ଲାଗି ଅନୁମତି ଦେଇଥିବା ୨ ଇଞ୍ଜିନିୟରଙ୍କୁ ଡ୍ୟୁଟିରୁ ବାଦ୍‌ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ୱାରା ଗଠିତ ଟିମ୍‌ ସୋମବାର ଏହାର ତଦନ୍ତ ଆରମ୍ଭ କରିଛି। ଏସ୍‌ଜି-୯୪୫ ବିମାନରେ ସିଟ୍‌ ବେଲ୍ଟ ସଙ୍କେତ ଦିଆଯିବା ସହ ଯାତ୍ରାମାନଙ୍କୁ ସିଟ୍‌ରେ ବସିରହିବା ଲାଗି କ୍ରିଉ ମେମ୍ବରମାନେ ବାରମ୍ବାର ଘୋଷଣା କରିଥିଲେ ବୋଲି ସ୍ପାଇସ୍‌ଜେଟ୍‌ ପକ୍ଷରୁ କୁହାଯାଇଛି। ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଅନୁଯାୟୀ ବିମାନଟି ଦୁର୍ଗାପୁରରେ ଅବତରଣ କରିବା ସମୟରେ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ଏଥିଯୋଗୁ ଯାତ୍ରୀ କ୍ଷତିଗ୍ରସ୍ତ ହେବା ଦୁର୍ଭାଗ୍ୟଜନକ। ଏହାକୁ ଗୁରୁତର ସହ ନିଆଯାଇଛି। ଘଟଣାର ତଦନ୍ତ ପାଇଁ ଡିଜିସିଏ ଏକ ଟିମ୍‌କୁ ଦାୟିତ୍ୱ ଦେଇଥିବା ସେ କହିଛନ୍ତି।

Share