ମା’ ପୁଅ ସମେତ ୧୫ ଗିରଫ

ଭୁବନେଶ୍ୱର ୧୭।୯ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶା କାରବାର ବଢି ଚାଲିଛି। ନିଶା କବଳରେ ପଡି ସହରର ଯୁବପିଢି ବିଭିନ୍ନ ଆପରାଧିକ କାର୍ଯ୍ୟରେ ସାମିଲ ହେଉଛନ୍ତି। ତେଣୁ ନିଶା କାରବାର ରୋକିବା ପାଇଁ କମିଶନରେଟ ପୋଲିସ ଟିମ୍‌ ସ୍ବତନ୍ତ୍ର ଅଭିଯାନ ଚାଲିଛି। ବୁଧବାର ଓ ଗୁରୁବାର ବିଭିନ୍ନ ଥାନା ଅଞ୍ଚଳରୁ ମୋଟ ୨୦ରୁ ଅଧିକ ନିଶାବେପାରୀଙ୍କୁ ଗିରଫ କରାଯାଇଥିବାବେଳେ ଶୁକ୍ରବାର ୧୦ ଥାନା ପକ୍ଷରୁ ମା’ପୁଅଙ୍କ ସହ ଆଉ ୧୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ମୋଟ ୧୪୭ ଗ୍ରାମ ବ୍ରାଉନସୁଗାର, ୪ ହଜାର ୩୦୦ ଟଙ୍କା ଓ ୨୬.୪୪୮ କେଜି ଗଞ୍ଜେଇ ଜବତ କରାଯାଇଛି ।
ଏୟାରପୋର୍ଟ ଥାନା ପୋଲିସ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ପୁରୀ ଜିଲାର ଦୀପକ ମହାପାତ୍ରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୨.୩୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ସେହିପରି କ୍ୟାପିଟାଲ ଥାନା ପୋଲିସ ୟୁନିଟ୍‌-୬ କାଳିମନ୍ଦିର ବସ୍ତିରେ ରହୁଥିବା ନୟାଗଡର ମହାଦେବ ନାୟକଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ସେହିଭଳି ନନ୍ଦନକାନନ ଥାନା ପୋଲିସ ରଘୁନାଥପୁର ଗ୍ରାମର ପଞ୍ଚାନନ ରାଉତ ଓ ଦୀପକ ଜେନାଙ୍କଠାରୁ ୨୨ ଗ୍ରାମ ବ୍ରାଉନସୁଗାର ଓ ୫୦୦ ଟଙ୍କା ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ପୋଲିସ ହଳଦିପଡିଆ ବସ୍ତିର ପ୍ରମୋଦ କୁମାର ମହାନ୍ତିଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଭରତପୁର ପୋଲିସ କଟକ ଜିଲା ବାଙ୍କୀ ଥାନା ଅଞ୍ଚଳର ବନମାଳୀ ସାହୁ ଓ ଖୋର୍ଦ୍ଧା ଜିଲାର ସୁକାନ୍ତ ବେହେରାଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୧୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଇନ୍‌ଫୋସିଟି ଥାନା ପୋଲିସ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ପ୍ରୀତିରଞ୍ଜନ ବିଶ୍ୱାଳ, ଖୋର୍ଦ୍ଧା ଜିଲାର ସେକ୍‌ ଆଶିକୁଲଙ୍କୁ ଗିରଫ କରିବା ସହ ୧୮ ଗ୍ରାମ ବ୍ରାଉନସୁଗାର ଓ ନଗଦ ୭୯୦ ଟଙ୍କା ଜବତ କରିଛି। ତମାଣ୍ଡୋ ଥାନା ପୋଲିସ ୨୧.୧୦ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଖୋର୍ଦ୍ଧା ଜିଲାର ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛି। ସେହିଭଳି ଏୟାରଫିଲ୍ଡ ଥାନା ପୋଲିସ ସୁନ୍ଦରପଦା କପିଳପ୍ରସାଦ ଅଞ୍ଚଳର ବଳରାମ ସାହୁ ନାମକ ଜଣେ ବୃଦ୍ଧଙ୍କୁ ଗିରଫ କରିବା ସହ ୧୧.୯୫ ଗ୍ରାମ ବ୍ରାଉନସୁଗାର ଓ ନଗଦ ୩ ହଜାର ୧୦ ଟଙ୍କା ଜବତ କରିଛି। ଅନ୍ୟପଟେ ବେଆଇନ ଭାବେ ଗଞ୍ଜେଇ ବେପାର କରୁଥିବାବେଳେ ନୟାପଲ୍ଲୀ ଥାନା ପୋଲିସ ମା’ ଓ ପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ବାଜପେୟୀ ନଗରର ଚନ୍ଦୁରୀ ନାୟକ ଓ ସିଲୁ ନାୟକ। ସେମାନଙ୍କଠାରୁ ୨୧.୬୨୫ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଚନ୍ଦକା ଥାନା ପୋଲିସ ୪ କେଜି ୮୨୩ ଗ୍ରାମ ଗଞ୍ଜେଇ ଓ ଗୋଟିଏ ସ୍କୁଟି ଜବତ କରିଥିବାବେଳେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଥାନା ଅଞ୍ଚଳର ପ୍ରତାପ ନାୟକ ଓ ଅଭିମନ୍ୟୁ ବଡଜେନା।

Share