ପାଟଣା,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ କୁଣ୍ଡଳା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କୁଡୁମୀ ସମ୍ପ୍ରଦାୟର ଲୋକ କଳା, ସଂସ୍କୃତି ଓ କୁଡୁମାଲି ଭାଷା ସମ୍ବଳିତ ପଞ୍ଚମ ଧିଙ୍ଗୁଆନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଡୁମୀ ବହୁଳ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରୁ ୨୮ଟି ଧିଙ୍ଗୁଆନ୍ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ।
ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ମ୍ୟୁନିସିପାଲିଟିର ପୂର୍ବତନ କାଉନ୍ସିଲର ତଥା ସାମାଜିକ କର୍ମୀ ଲଚ୍ଛମନ ମହାନ୍ତ, ସମ୍ମାନିତ ଅଥିତି ଭାବେ ପାଟଣା ବ୍ଲକର ୨୩ ନମ୍ବର ଜୋନ୍ର ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, କୁଣ୍ଡଳା ପଞ୍ଚାୟତର ସମିତିସଭ୍ୟା ଅହଲ୍ୟା ମହାନ୍ତ, ସରପଞ୍ଚ ଶତ୍ରୁଘ୍ନ ନାଏକ ଓ ରାଜ୍ୟ ଭରସା ପରିବାର ଅଧ୍ୟକ୍ଷ ଲମ୍ବୋଦର ମହାନ୍ତ, ସାମାଜିକ କର୍ମୀ ରାଇଚାରଣ ମହାନ୍ତ ପ୍ରମୁଖ ଯୋଗ ଦେଇ କୁଡୁମୀ ସମ୍ପ୍ରଦାୟ ଭାଷା ଓ ସଂସ୍କୃତିର ମୌଳିକତା ଧିଙ୍ଗୁଆନ୍ ନୃତ୍ୟ ଗୀତରେ ଅନ୍ତର୍ନିହିତ ରହିଛି ବୋଲି ମତ ପ୍ରକାଶ କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୮ଟି ଦଳ ମଧ୍ୟରୁ କେନ୍ଦୁଝରରୁ କବିତ୍ରା ଧିଙ୍ଗୁଆନ୍ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାହାରପଡା ବ୍ଲକର ତାଳପଦା ଧିଙ୍ଗୁଆନ୍ ଦଳ ଦ୍ୱିତୀୟ, ପାଟଣା ବ୍ଲକର ବାଘମରା ଧିଙ୍ଗୁଆନ୍ ତୃତୀୟ, ମୟୂରଭଞ୍ଜ ଜିଲାର ସଲରାପଦା ଧିଙ୍ଗୁଆନ୍ ଦଳ ଚତୁର୍ଥ ଏବଂ ସାହାରପଡା ବ୍ଲକର ମାଛଗଡ଼ ପୁରୁଣାସାହି ଧିଙ୍ଗୁଆନ ଦଳ ପଞ୍ଚମ ସ୍ଥାନ ଅଧିକାର କରିଥିଲା। କୁଣ୍ଡଳା ଧିଙ୍ଗୁଆନ୍ କମିଟି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।