୫୦ ପ୍ରତିଶତ ମୂଳ ଭାରତୀୟଙ୍କ ଭୋଟ ଟ୍ରମ୍ପ୍‌ଙ୍କ ଖାତାକୁ ଯିବ: ସର୍ଭେ

ଓ୍ବାଶିଂଟନ, ୨୪।୯: ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିରେ ୫୦ ପ୍ରତିଶତ ମୂଳ ଭାରତୀୟଙ୍କ ଭୋଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଖାତାକୁ ଯିବାର ସମ୍ଭାବନା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଟ୍ରମ୍ପଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ‘ଟ୍ରମ୍ପ୍‌ ଭିକ୍ଟ୍ରି ଇଣ୍ଡିଆନ୍‌ ଆମେରିକାନ୍‌ ଫାଇନାନ୍ସ୍‌ କମିଟି’ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କମିଟିର ଅଧ୍ୟକ୍ଷ ଅଲ୍‌ ମେସନ୍‌ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ଥିବା ବନ୍ଧୁତାର ସକାରାତ୍ମକ ପ୍ରଭାବ ନିର୍ବାଚନରେ ଦେଖିବାକୁ ମିଳିବ। ଟ୍ରମ୍ପ୍‌ ପ୍ରଶାସନ କଶ୍ମୀର ଭଳି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ କରିଛନ୍ତି। ଅପରପକ୍ଷରେ ପୃଥିବୀରେ ଭାରତର ସ୍ଥିତିକୁ ମଜବୁତ କରିବା ଲାଗି ଟ୍ରମ୍ପ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେରିକାର ସାଧାରଣ ଲୋକେ ଏହା ଅନୁଭବ କରୁଛନ୍ତି ଯେ, ଟ୍ରମ୍ପ୍‌ ଏବଂ ମୋଦି କାମ କଲେ ଆସନ୍ତା ୪ ବର୍ଷରେ ଅନ୍ତର୍ଜାତୀୟସ୍ତରରେ ଚାଇନାର ଗତିରୋଧ କରାଯାଇ ପାରିବ। ଅପରପକ୍ଷରେ ଚାଇନା ପ୍ରତି ଟ୍ରମ୍ପ୍‌ଙ୍କର କଡ଼ା ଆଭିମୁଖ୍ୟ, ଯୁଦ୍ଧ ବଦଳରେ ଶାନ୍ତିର ପ୍ରୟାସ, କୋଭିଡ୍‌-୧୯ ମହାମାରୀ ସମୟରେ ଟ୍ରମ୍ପ୍‌ଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଦେଶର ଆର୍ଥିକ ସ୍ଥିତିର ପୁନରୁଦ୍ଧାର ଆଦି କାର୍ଯ୍ୟ ମୂଳ ଭାରତୀୟଙ୍କୁ ବେଶ୍‌ ଆକର୍ଷିତ କରିବାକୁ ସକ୍ଷମ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share