Advertisement

୫୦ ପ୍ରତିଶତ ଧାନ ଅଗାଡ଼ି

ଜଳେଶ୍ୱର,୧।୧୧(ଡି.ଏନ.ଏ): ଚଳିତବର୍ଷ ଧାନ କେଣ୍ଡା ଗର୍ଭରୁ ବାହାରିବା ସମୟରେ ଲଗାତାର ଲଘୁଚାପ ଜନିତ ବର୍ଷା ହୋଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣିରେ ଜଳେଶ୍ୱର ବ୍ଲକ ଅଞ୍ଚଳର ବ୍ୟାପକ ଧାନଜମି ବୁଡ଼ି ରହିଥିଲା। ଏବେ କେଣ୍ଡାରୁ ଧାନ ବାହାରିବା ପରେ ୫୦ ପ୍ରତିଶତ ଅଗାଡ଼ି ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।
ସମଗ୍ର ଉତ୍ତର ବାଲେଶ୍ୱରରେ ଚଳିତବର୍ଷ ସର୍ବାଧିକ ଧାନଚାଷ ଜଳେଶ୍ୱର ବ୍ଲକରେ ହୋଇଥିବା କୃଷି ବିଭାଗ ତଥ୍ୟରୁ ଜଣାପଡ଼ିଛି। ମୋଟ ୨୦୨୦ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବା ବେଳେ ବିଭିନ୍ନ ତଳିଆ ଅଞ୍ଚଳରେ ଧାନଗଛ ପଚି ନଷ୍ଟ ହୋଇଛି। ଏହା ବ୍ୟତିତ ଅକ୍ଟୋବର ୭ ଓ ୧୮ ତାରିଖରେ ପ୍ରବଳ ବର୍ଷା ହୋଇଥିଲା। ଏପରିକି ଗୋଟିଏ ଗୋଟିଏ ଦିନରେ ୨୧୭ ମି.ମି. ବର୍ଷା ରେକର୍ଡ କରାଯାଇଥିଲା। ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ଜଳେଶ୍ୱର ଅଞ୍ଚଳରେ ଲଗାଣ ବର୍ଷାଯୋଗୁ ବିଭିନ୍ନ ସ୍ଥାନରେ ଧାନଗଛ ପାଣିରେ ବୁଡ଼ିରହିଥିଲା। ସେହି ସମୟରେ ବାହାରୁଥିବା ଧାନକେଣ୍ଡାରେ ପାଣି ପଶି ଯାଇଥିଲା। ଏବେ ସେହି ଧାନକେଣ୍ଡା ଗୁଡ଼ିକ ବାହାରିବାପରେ ଅଗାଡ଼ି ହୋଇଥିବା ଦେଖିବାକୁ ମିଳିଛି। ନଛିମପୁର ପଞ୍ଚାୟତ ଆମ୍ବଳିଅଠା ଗାଁର ବହୁ ଚାଷଜମିରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। କେବଳ ଏହି ଗୋଟିଏ ଗାଁ ନୁହେଁ, ଏପରିକି ଢ଼ିପ ଜମିଗୁଡ଼ିକ ମଧ୍ୟ ଏଥିରୁ ନିସ୍ତାର ପାଇନାହିଁ। ଅନ୍ୟପକ୍ଷେ କାଣ୍ଡବିନ୍ଧା ଓ ମୂଳିପଚା ରୋଗ ଦେଖା ଦେଇଥିବାରୁ ଚାଷୀମାନେ ପ୍ରମାଦ ଗଣୁଛନ୍ତି। ଚଳିତବର୍ଷ ପ୍ରତିକୂଳ ପାଗରେ ଚାଷୀମାନେ ବହୁ ଖର୍ଚ୍ଚାନ୍ତ ହୋଇ ଧାନଚାଷ କରିଥିବାରୁ ଏବେ ଅଗାଡ଼ି ଦେଖି ଚିନ୍ତାରେ ପଡ଼ିଛନ୍ତି। ଏ ସମ୍ପର୍କରେ କୃଷି ବିଭାଗ ଅନୁଧ୍ୟାନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel