ସୂର୍ଯ୍ୟମଣି-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ପୁରୁଷୋତ୍ତମପୁର, ୧୨ା୪(ସୀମାଞ୍ଚଳ ମିଶ୍ର): ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୮୫ରୁ ଜନତା ଦଳ ଓ ବିଜେଡି କବଜାରେ ରହିଛି। ଏଠାରୁ କ୍ରମାଗତ ଭାବରେ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ବିଧାୟିକା ନିର୍ବାଚିତ ହୋଇ ଆସୁଥିଲେ। ମାତ୍ର ୨୦୦୮ ସୀମା ନିର୍ଦ୍ଧାରଣ ପରେ ଏହି ଆସନ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ସଂରକ୍ଷିତ ହୋଇଛି। ସେବେଠାରୁ ରାଣୀଙ୍କ ନେତୃତ୍ୱରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସେଠୀ ୨ଥର ବିଧାୟକ ହୋଇଥିବାବେଳେ ଓ ୨୦୧୯ ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ବିଧାୟିକା ହୋଇଛନ୍ତି। ତେବେ ଗତ ମାସରେ ଖଲ୍ଲିକୋଟ ରାଣୀଙ୍କ ଦେହାନ୍ତ ପରଠାରୁ ବିଜେଡିର ସ୍ଥିତି ନେଇ ରାଜନୈତିକ ମହଲରେ ଭିନ୍ନ ଆଲୋଚନା ହେଉଛି। କର୍ମୀଙ୍କୁ ନେଇ ଦଳକୁ ସଂଗଠିତ କରିବା ଭଳି ବ୍ୟକ୍ତିତ୍ୱ ଅଭାବ ରହିଛି। ତେଣୁ ଚଳିତଥର ଏହି ଆସନ କିଏ ହାତେଇବ ଆକଳନ କରି ହେଉନାହିଁ।
ଏହି ଆସନ ପାଇଁ ବିଜେଡି ପୁଣି ସୂର୍ଯ୍ୟମଣିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଛାଡିଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଭାଜପା ଟିକେଟ ଦେଇଛି। ସୂର୍ଯ୍ୟମଣି ବର୍ତ୍ତମାନ ବିଧାୟିକା ଥିବାରୁ ତାଙ୍କ ଲୋକ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକୁ ନେଇ ନିର୍ବାଚନୀ ବୈତରଣୀ ପାର କରିବାକୁ ଚେଷ୍ଟା କରୁଛନ୍ତି। ୨୦୦୮ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ନିଜର ଲୋକପ୍ରିୟତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକୁ ନେଇ ଲୋକଙ୍କ ନିକଟତର ହେବେ ଏଥିରେ ସନ୍ଦେହ ନାହିଁ। ସୂର୍ଯ୍ୟମଣି ଓ ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର ହେବ ଏଥିରେ ସନ୍ଦେହ ନାହିଁ। ସବୁଠୁ ବଡ କଥା ହେଲା ଗତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ବିଧାୟିକାଙ୍କ ବିରୋଧରେ ବିଦ୍ରୋହର ସ୍ବର ଲାଗି ରହିଛି। ଖଲ୍ଲିକୋଟରେ ରାଣୀ ଲିଗାସିମାନେ ବିଧାୟିକା ଅଣଦେଖା କରୁଥିବାରୁ ଅସନ୍ତୁଷ୍ଟ ଅଛନ୍ତି। ଏହି ବିଦ୍ରୋହ ଓ ଅସନ୍ତୋଷର ଗୋଳିଆ ପାଣିରୁ ଭାଜପା ଫାଇଦା ନେବାକୁ ଜଗି ବସିଛି। ଅନ୍ୟପଟେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ଅଞ୍ଚଳର ବିଜେଡିର କେତେଜଣ ପୁରଖା ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଦେଖି ଦଳ ଛାଡିବାକୁ ଉଚିତ ନ ମଣି ସଂଗଠନ ଠାରୁ ଦୂରେଇ ଯାଇଛନ୍ତି। ଯେଉଁ କେତେଜଣ ନେତା ଦଳରେ ସକ୍ରିୟ ଥିବା କହୁଛନ୍ତି, ସେମାନଙ୍କ ନିକଟରେ ଭୋଟର ନାହନ୍ତି। ଏଭଳି ସ୍ଥିତିରେ ବିଜେଡି କିପରି ଗଡ ରକ୍ଷାକରିବ ତାହା ଏଠାରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।