ବାରିପଦା ବସ୍‌ଷ୍ଟାଣ୍ଡରେ ବୁଲିଲା ଖଣ୍ଡା-ଭୁଜାଲି, ୫ ଗୁରୁତର

ବାରିପଦା,୨୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ବୁଲିଛି ଖଣ୍ଡା-ଭୁଜାଲି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ ୫ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାକୁ ନେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

ଅପରପକ୍ଷେ ବାରିପଦା ଭଳି ଶାନ୍ତିପ୍ରିୟ ସ୍ଥାନରେ ଏଭଳି ହଣାକଟା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିବା ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଘଟଣାକୁ ନେଇ ବସ ମାଲିକ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Share