Categories: ଜାତୀୟ

ପାଣି ପାଇଁ ଲଢ଼େଇ: ମହିଳାଙ୍କୁ ଗରାରେ ପିଟିଲେ ମହିଳା, ଭିଡିଓ ଭାଇରାଲ

ଭୋପାଳ,୪।୪: ଜଳ ହିଁ ଜୀବନ। ଅମ୍ଳଜାନ ପରି ପାଣି ମଣିଷର ନିହାତି ଆବଶ୍ୟକ। ନଚେତ ବଞ୍ଚିବା ସମ୍ଭବ ହେବନାହିଁ। ଏବେ ଏହି ପାଣି ଲୋକଙ୍କ ମଧ୍ୟରେ ଲଢ଼େଇର କାରଣ ପାଲଟିଛି। ମଧ୍ୟପ୍ରଦେଶର ପାନ୍ନାରେ ପାଣିକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ପ୍ରବଳ ମାଡ଼ପିଟ୍‌ ହୋଇଛି। ଯେଉଁ ହାତରେ ଗରା ଧରି ପାଣି ପାଇଁ ଆସିଥିଲେ ସେହି ଗରା ମହିଳାଙ୍କ ହତିଆର ପାଲଟିଯାଇଥିଲା। ଜଣେ ଜଣଙ୍କ ଉପରେ ଆକ୍ରମଣ କରିବାରେ ଲାଗିଲେ।

ମଧ୍ୟପ୍ରଦେଶ ପାନ୍ନା ଜିଲା ଶାହାନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇ ମହିଳା ପାଣି ପାଇଁ ଆସି ମାଡ଼ପିଟ୍‌ ଲାଗିଛନ୍ତି। ଏହା ଦେଖିବାକୁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ କେହି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ପାନ୍ନାରେ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କେତେକ ଅଞ୍ଚଳରେ ପାଣି ଅଭାବ ଦେଖାଦେଇଛି। ଏପରି ସ୍ଥିତିରେ ମହିଳାଙ୍କ ମଧ୍ୟରେ ଲଢ଼େଇ ଆଲୋଚନାର ବିଷୟ ପାଲଟିଛି।

Share