ଲ୍ୟାମ୍ପସ୍‌ ଆଗରେ ୟୁରିଆ ପାଇଁ ଧସ୍ତାଧସ୍ତି

ଝରିଗାଁ, ୨୧।୮ସ୍ବ.ପ୍ର.):  ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍‌ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। େ କତେଜଣ ଚାଷୀ ଅଧିକ ସାର ଦାବିରେ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଏମ୍‌ଡି ସେମାନଙ୍କ ନାମରେ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ତହସିଲଦାର, ବ୍ଲକ କୃଷି ଅଧିକାରୀ, ଏସ୍‌ଡିପିଓ ଏବଂ ପୋଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଛି।
ଶୁକ୍ରବାର ଲ୍ୟାମ୍ପସ୍‌ରେ ଚାଷୀମାନଙ୍କୁ ଗୋଟିଏ ଲେଖାଏ ୟୁରିଆ ସାର ବସ୍ତା ବଣ୍ଟାଯାଉଥିଲା। କେତେଜଣ ଯୁବଚାଷୀ ସେଠାକୁ ଆସି ୨ଟି ଲେଖାଏ ବସ୍ତା ଦେବାକୁ ଦାବି କରିଥିଲେ। ଗୋଦାମରେ ୧ହଜାର ୬ଶହ ୟୁରିଆ ସାର ବସ୍ତା ଅଛି। ବ୍ଲକର ପ୍ରାୟ ଦୁଇ ହଜାର ଚାଷୀ ସାର ନେବାକୁ ସେଠାରେ ଉପସ୍ଥିତ ଅଛନ୍ତି। ଏଣୁ ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ ୟୁରିଆ ସାର ବସ୍ତା ଦିଆଯିବ ବୋଲି ଏମ୍‌ଡି କହିଥିଲେ। ଏହି ସମୟରେ ଉକ୍ତ ଯୁବଚାଷୀମାନେ ଏମ୍‌ଡିଙ୍କୁ ମାଡ଼ ମାରିବା ସହ ସେଠାରେ ଥିବା ଟେବୁଲ ଭାଙ୍ଗି ଦେଇଥିଲେ। ଏଥିସହ ଚାଷୀ ଦେଇଥିବା ଆଧାର କାର୍ଡ(ଜେରକ୍ସ କପି)କୁ ଫୋପାଡ଼ି ଦେଇଥିଲେ। ଏହା ଦେଖି ଏମ୍‌ଡି ଭୟଭୀତ ହୋଇ ସେଠାରୁ ପଳାଇଥିଲେ। ସାର ବଣ୍ଟନ କିଛି ସମୟ ପାଇଁ ଠପ୍‌ ହୋଇଥିଲା। ଖବରପାଇ ତହସିଲଦାର ହୃଷୀକେଶ ଗଣ୍ଡ, ଥାନାଧିକାରୀ ନଟବର ନନ୍ଦ, ବ୍ଲକ କୃଷି ଅଧିକାରୀ ସୁନିତା ସିଂ ପ୍ରମୁଖ ଚାଷୀମାନଙ୍କୁ ବହୁ ବୁଝାଶୁଝା କରିଥିଲେ। ଚାଷୀ କିନ୍ତୁ ଦୁଇଟି ସାର ବସ୍ତା ଦେବା ପାଇଁ ଜୋର ଧରିଥିଲେ। ଆଉ କେତେଜଣ ଚାଷୀ ଗୋଟିଏ ଲେଖାଏଁ ସାର ବସ୍ତା ଦେଲେ ଆମେ ଚାଲିଯିବୁ ବୋଲି ଅନୁରୋଧ କରିଥିଲେ। ଉମରକୋଟ ଏସ୍‌ଡିପିଓ ଦିନେଶ ଚନ୍ଦ୍ର ନାୟକ, ଏସ୍‌ଆଇ ରାଧାମୋହନ ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଚାଷୀଙ୍କ ଆଧାରକାର୍ଡ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ଆଙ୍ଗୁଠିରେ କାଳିଚିହ୍ନ ଦେଇ ସାର ପ୍ରଦାନ କରାଯାଇଥିଲା।