ବିବାଦରେ ‘ଫାଇଟର’

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର’ର ଧମାକା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ଦେଖିବାକୁ ମିଳୁଛି। ଫିଲ୍ମରେ ହ୍ରିତିକ୍‌ ଓ ଦୀପିକାଙ୍କ କେମେଷ୍ଟ୍ରିଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଫାଇଟର’ ଭାରତରେ ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ସିନେମାକୁ ନେଇ ଏବେ ବିବାଦ ଦେଖାଦେଇଛି। ସିନେମାର ଏକ ଦୃଶ୍ୟରେ ଉଭୟ ହ୍ରିତିକ୍‌ ଓ ଦୀପିକା ବାୟୁସେନା ପୋଷାକ ପିନ୍ଧିି ପରସ୍ପରକୁ ଚୁମ୍ବନ ଦେଉଛନ୍ତି, ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଭାରତୀୟ ବାୟୁସେନାର ଆସାମରେ ନିୟୋଜିତ ଥିବା ସୌମ୍ୟଦୀପ ଦାସ ନାମକ ଜଣେ ଅଧିକାରୀ ଏହି ଦୃଶ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି। ସେ ଏନେଇ ଫିଲ୍ମ ନିର୍ମାତାଙ୍କୁ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି। ଏହି ମୁଭିରେ ସେନା ୟୁନିଫର୍ମ ପିନ୍ଧି ଉଭୟ ହ୍ରିତିକ୍‌ ଓ ଦୀପିକା ପରସ୍ପରକୁ ଚୁମ୍ବନ କରୁଥିବା ଦୃଶ୍ୟକୁ ସମାଲୋଚନା କରିବା ସହ ଏହା ସେନା ୟୁନିଫର୍ମର ସମ୍ମାନ ଓ ପବିତ୍ରତା ନଷ୍ଟ କରୁଥିବା ସେ କହିଛନ୍ତି। ତେବେ ଏନେଇ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share