ଜଙ୍ଗଲ ବିଭାଗ, ବ୍ୟାଙ୍କ, ବୀମା କର୍ମଚାରୀ ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର, ୧୪।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ଜଙ୍ଗଲ ବିଭାଗ ଅଧିକାରୀ ଓ ଫରେଷ୍ଟ ଗାର୍ଡ, ବ୍ୟାଙ୍କ, ବୀମା କର୍ମଚାରୀ, ଏନ୍‌ସିପିଆଇ, ପେମେଣ୍ଟ ସିଷ୍ଟମ୍‌ ପ୍ରୋଭାଇଡର, ଭେଣ୍ଡର, କ୍ୟାଶ ଇନ୍‌ ଟ୍ରାନ୍‌ଜିଶନ କମ୍ପାନୀ, ଏଟିଏମ୍‌ ରକ୍ଷଣାବେକ୍ଷଣ କରୁଥିବା କର୍ମଚାରୀ, ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେନ୍ସ ଏବଂ କଷ୍ଟମର କେୟାର ଇତ୍ୟାଦିରେ ନିୟୋଜିତ କର୍ମଚାରୀମାନେ ନିୟମିତ ଭାବେ ସେବା ଯୋଗାଇ ଆସୁଛନ୍ତି। ଏବେ ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ତେଣୁ ଉପରୋକ୍ତ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଆଗ ଧାଡ଼ିର କର୍ମୀ ଭାବେ ଗ୍ରହଣ କରିବା ସହ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଜିଲାପାଳ, ସମସ୍ତ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ସେହିପରି ରେଲଓ୍ବେ କର୍ମଚାରୀ, ଚାଇଲ୍ଡଲାଇନ ଷ୍ଟାଫ୍‌, ସମସ୍ତ ଶିଶୁ ଯତ୍ନକାରୀ ସଂସ୍ଥାର କର୍ମଚାରୀ, ପ୍ରାଣୀ ଚିକିତ୍ସକ, ଲାଇଭଷ୍ଟକ୍‌ ଇନ୍ସପେକ୍ଟର, ଅକ୍ସିଜେନ ପ୍ଲାଣ୍ଟ କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ କଲ୍‌ ସେଣ୍ଟର କର୍ମଚାରୀଙ୍କୁ ମଧ୍ୟ ଆଗଧାଡ଼ିର କର୍ମୀଭାବେ ଗ୍ରହଣ କରି ଟିକା ଦେବାକୁ ପରାମର୍ଶ ଦିଆଯାଇଛି। ତେବେ ଟିକାକରଣ ସମୟରେ ଦ୍ୱିତୀୟ ଡୋଜ୍‌ ଟିକାକୁ ପ୍ରାଥମିକତା ଭିତ୍ତିରେ ଦେବାକୁ ପରାମର୍ଶ ଦିଆଯାଇଛି।

Share