କରୋନା ବିରୋଧରେ ଲଢ଼େଇ: ଗରିବଙ୍କ ସହାୟତା ପାଇଁ ଧନୀଙ୍କ ଉପରେ ବଢ଼ିଲା ଟିକସ

ବୁଇନୋସ୍‌ ଆରିସ୍‌, ୬।୧୨: କରୋନା ବିରୋଧରେ ଲଢ଼େଇ ପାଇଁ ଲାଟିନ୍‌ ଆମେରିକା ଦେଶ ଆର୍ଜେଣ୍ଟିନାରେ ନୂଆ ଆଇନ ପ୍ରଣୟନ କରାଯାଇଛି। କରୋନା ଯୋଗୁ ଦେଶର ଗରିବଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ତେଣୁ ସେମାନଙ୍କର ସହାୟତା ପାଇଁ ଦେଶର ଧନୀଙ୍କ ଉପରେ ଟିକସ ବଢ଼ାଯାଇଛି। ଏନେଇ ଏକ ପ୍ରସ୍ତାବ ଆର୍ଜେଣ୍ଟିନା ସିନେଟ୍‌ରେ ପାରିତ ହୋଇଛି। ପ୍ରସ୍ତାବ ସପକ୍ଷରେ ୪୨ ଜଣ ସଦସ୍ୟ ଭୋଟ ଦେଇଥିବାବେଳେ ୨୬ ଜଣ ଏହାର ବିରୋଧ କରିଥିଲେ। ଏବେ ଏହା ଆଇନରେ ପରିଣତ ହୋଇଛି। ଆଇନ ଅନୁସାରେ ୨୫ ଲକ୍ଷ ଡଲାରୁ ଅଧିକ ସମ୍ପତ୍ତି ଥିବା ବ୍ୟକ୍ତିଙ୍କୁ ଏହି ସ୍ବତନ୍ତ୍ର ଟିକସ ଦେବାକୁ ପଡ଼ିବ। ଦେଶରେ ଏଭଳି ୧୨ ହଜାର ଧନୀକଙ୍କୁ ଚିହ୍ନଟ କରାଯାଇଛି। ଦେଶରେ ଥିବା ଧନୀକଙ୍କୁ ୩.୫ ପ୍ରତିଶତ ଏବଂ ବାହାରେ ଥିବା ଧନୀକଙ୍କୁ ୫.୨୫ ପ୍ରତିଶତ ସମ୍ପତ୍ତି ଟିକସ ଦେବାକୁ ପଡ଼ିବ। ଏହାଦ୍ୱାରା ଦେଶର ୦.୮ ପ୍ରତିଶତ ଟିକସଦାତା ପ୍ରଭାବିତ ହେବେ। ସଂଗୃହୀତ ଅର୍ଥର ୨୦ ପ୍ରତିଶତ ମେଡିକାଲ ସପ୍ଲାଏ ପାଇଁ ଖର୍ଚ୍ଚ ହେବ। ସେହିପରି ୨୦ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କ ବିକାଶ ଲାଗି ଖର୍ଚ୍ଚ କରାଯିବ। ୨୦ ପ୍ରତିଶତ ଶିକ୍ଷାର୍ଥୀଙ୍କ ପାଠପଢ଼ା ପାଇଁ ବିନିଯୋଗ ହେବ। ୧୫ ପ୍ରତିଶତ ସାମାଜିକ ବିକାଶ କାର୍ଯ୍ୟ ଏବଂ ୨୫ ପ୍ରତିଶତ ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରରେ ନିବେଶ ହେବ।

Share